ଗଞ୍ଜେଇ ଚାଷ ନଷ୍ଟ କରିବାକୁ ଯାଇଥିଲେ, ୭ ରାଉଣ୍ଡ ଫୁଟିଲା ଲ୍ୟାଣ୍ଡମାଇନ

ବୌଦ୍ଧ: ଲକଡ଼ପାଜୁ ଜଙ୍ଗଲରେ ଫୁଟିଲା ଲ୍ୟାଣ୍ଡମାଇନ୍ । ଜଙ୍ଗଲ ଭିତରେ ୭ ରାଉଣ୍ଡ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି । ବନବିଭାଗ ଗାଡି ଉଡାଇବା ପାଇଁ ଲ୍ୟାଣ୍ଡମାଇନ ଲଗାଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଛନ୍ତି ୫୦ ଜଣ ବନ କର୍ମଚାରୀ ଓ ସୁରକ୍ଷାକର୍ମୀ । ଘଟଣାସ୍ଥଳରୁ କିଛି ତାର ଜବତ ହୋଇଛି । ସୂଚନା ଅନୁସାରେ, ଗଞ୍ଜେଇ ଗଛ ନଷ୍ଟ କରିବା ପାଇଁ ଯାଇଥିଲେ ବନ କର୍ମଚାରୀ ।

ପ୍ରତିଦିନ ଶହ ଶହ ଏକର ଜଙ୍ଗଲ ଜମିରେ ଲାଗିଥିବା ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରୁଛି ବନବିଭାଗ, ପୋଲିସ ଓ ଅବକାରୀ ବିଭାଗ । ପ୍ରଶାସନର ଏଭଳି ପଦକ୍ଷେପ ଏବେ ଗଞ୍ଜେଇ ମାଫିଆଙ୍କ ନିଦ ହଜାଇ ଦେଇଛି । ଯାହାକୁ ନେଇ ଉଗ୍ର ହୋଇ ଉଠିଛନ୍ତି ଗଞ୍ଜେଇ ମାଫିଆ । ଗତକାଲି ଲକଡ଼ପାଜୁ ଜଙ୍ଗଲରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ ପାଇଁ ବନ ବିଭାଗର ୫୦ ଜଣିଆ ଟିମ୍ ଯାଇଥିଲା । ଘାଟି ରାସ୍ତାରେ ଗାଡି ରଖି ଅତିକ୍ରମ କଲା ବେଳେ ଫୁଟିଥିଲା ଲାଣ୍ଡମାଇନ୍ । ଗୋଟିଏ ପରେ ଗୋଟିଏ କରି ୭ଟି ଲ୍ୟାଣ୍ଡମାଇନ୍ ଫୁଟିଥିଲା ।

ହେଲେ ବିସ୍ଫୋରଣରେ କାହାର କୌଣସି କ୍ଷତି ହୋଇନାହିଁ । ମାତ୍ର ୪ ଜଣ ସୁରକ୍ଷା କର୍ମୀ ଥିବା ବେଳେ କମ ସୁରକ୍ଷା ବଳ କାରଣରୁ ସେଠାରୁ ବନବିଭାଗ ଫେରି ଆସିଥିଲା । ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଅନ୍ୟପଟେ ଲଗଡ଼ପାଜୁ ଠାରୁ କନ୍ଧମାଳ ସୀମା ୭ କିଲୋମିଟର ହୋଇଥିବାରୁ ଏହି ବିସ୍ପୋରଣ ଗଞ୍ଜେଇ ମାଫିଆ କରିଛନ୍ତି ନା ମାଓବାଦୀ ତାକୁ ନେଇ ଏବେ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି ।