ଚାକିରି ଲାଗି ଜମି ଦୁର୍ନୀତି ମାମଲା, ଆଜି ତେଜସ୍ବୀ ଯାଦବଙ୍କୁ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ପାଟନା: ଚାକିରି ଲାଗି ଜମି ଦୁର୍ନୀତି ମାମଲା । ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ଆଜି ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏନେଇ ତେଜସ୍ବୀଙ୍କୁ ଜାରି ହୋଇଛି ସମନ । କିଛି ଦିନ ତଳେ ପାଟନା, ମୁମ୍ବାଇ, ଦିଲ୍ଲୀ, ରାଞ୍ଚିର ୨୪ଟି ସ୍ଥାନରେ କରାଯାଇଥିବା ରେଡରୁ ମିଳିଥିଲା ବିପୁଳ ଟଙ୍କା, ସୁନା ଓ ଦସ୍ତାବିଜ । ପୂର୍ବରୁ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଓ ପତ୍ନୀ ରାବଡି ଦେବୀଙ୍କୁ ବି ପଚରାଉଚରା କରିଥିଲା ସିବିଆଇ ।

ବହୁଚର୍ଚ୍ଚିତ ଏହି ମାମଲାରେ ଲାଲୁ ପ୍ରସାଦ, ରାବଡି ଦେବୀ, ଦୁଇ କନ୍ୟା ମିସା ଭାରତୀ ଓ ଅନ୍ୟମାନଙ୍କ ନାମ ରହିଛି । ସିବିଆଇର ଅଭିଯୋଗ କ୍ରମେ ୨୦୦୪ରୁ ୨୦୦୯ ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିବାବେଳେ ଏହି ଦୁର୍ନୀତି ଘଟିଥିଲା । ଏନେଇ ଗତ ମେ ୨୦୨୨ରେ ମାମଲା ରୁଜୁ ହୋଇଥିଲା । ଜମି ବଦଳରେ ୧୨ ଜଣଙ୍କୁ ରେଳବାଇରେ ଚାକିରି ଦିଆଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ମାମଲାରେ ଲାଲୁଙ୍କ ପୂର୍ବତନ ଓଏସଡି ଭୋଲା ଯାଦବଙ୍କୁ ସିବିଆଇ ଗିରଫ କରିସାରିଛି ।