ରାଜ୍ୟରେ ଘରବାଡ଼ି କିସମ ଆଂଶିକ ପ୍ଲଟ ବିକ୍ରିକୁ ନେଇ ଥମୁନି ଦ୍ବନ୍ଦ
1 min readଭୁବନେଶ୍ବର : ପାର୍ଟ ପ୍ଲଟ ରେଜିଷ୍ଟ୍ରସନକୁ ନେଇ ଅଡ଼ୁଆରେ ସରକାର। ବେଆଇନ ରେଜିଷ୍ଟ୍ରସନ କରିଥିବା ଅଧିକାରୀଙ୍କ ବିରୋଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ।ଭିଜିଲାନ୍ସ ଚଢାଉ ଖୋଲିଦେଲା ରେଜିଷ୍ଟ୍ରାର ଅଫିସ ଗୁମର। ଆଇନ ନବଦଳାଇ ଏବେ ଥିବା ଆଇନକୁ କାର୍ଯ୍ୟକାରୀ କରିବାକୁ ଆକ୍ଟିଭିଷ୍ଟଙ୍କ ମତ। ମନ୍ତ୍ରୀ କହିଲେ ସବୁ ଦିଗ ପ୍ରତି ତର୍ଜମା ହେଉଛି, ଯାହା ଭଲ ହେବ ତାହା କରାଯିବ। ଏବେକାର ଆଇନ ଅନୁସାରେ ଅନୁମୋଦିତ ନକ୍ସା ବିନା ଘରବାଡ଼ି ଜମିର ପାର୍ଟ ପ୍ଲଟ ବିକ୍ରି ସମ୍ଭବ ନୁହେଁ। ହେଲେ ରାଜ୍ୟ ସାରା ଆଇନକୁ ଦଳିମକଚି ଟେବୁଲ ତଳ କାରବାରରେ ଚାଲିଛି ପାର୍ଟ ପ୍ଲଟ ବିକ୍ରି। ଭୁବନେଶ୍ବର ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ ପରେ ଫିଟିଛି ଗୁମର। ବେଆଇନ କାରବାରର ତଦନ୍ତ କରୁଛି ରାଜସ୍ବ ବିଭାଗ। କେତେ ପ୍ଲଟ ପଞ୍ଜୀକରଣ ହୋଇଛି, କେତେ ପ୍ଲଟ ପାଇଁ ଅନୁମୋଦନ ମିଳିଛି, ତାର ରିପୋର୍ଟ ପ୍ରସ୍ତୁତ ହେଉଛି। ଜଣେ ଜଣେ ଅଧିକାରୀ ୪ ହଜାରରୁ ଅଧିକ ପ୍ଲଟ ପଞ୍ଜୀକରଣ କରିଥିବା ଜଣାପଡିଛି। ଏସବୁର ତର୍ଜମା କରାଯାଉଛି ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି। ଯିଏ ବେଆଇନ କାମ କରିଥିବେ, ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।
କ୍ରେତାଙ୍କ ସୁବିଧା ପାଇଁ ପାର୍ଟ ପ୍ଲଟ ବିକ୍ରି ବେଳେ ସଂପୃକ୍ତ ପ୍ଲଟର ଲେଆଉଟ ବା ନକ୍ସା ଜରୁରୀ। ନହେଲେ ଜମି ଖଣ୍ଡେ କିଣିବା ପରେ ରାସ୍ତା, ବିଜୁଳି, ପାଣି ପାଇଁ କ୍ରେତା ଅନେକ ହଇରାଣ ହେବେ। ପଞ୍ଜୀକରଣ ପୂର୍ବରୁ ଏହି ନକ୍ସାକୁ ବିଡ଼ିଏ, ସିଡ଼ିଏ ଭଳି ଡ଼େଭେଲପମେଣ୍ଟ ଅଥରିଟି ଅନୁମୋଦିତ କରିବା ଦରକାର। ହେଲେ ମାନବସମ୍ବଳ ଓ ଭିତ୍ତିଭୂମି ଅଭାବରୁ ଅହେତୁକ ବିଳମ୍ବ ହେଉଛି। ଆଇନ ବଦଳାଇବା ଚକ୍କରରେ ନପଡ଼ି ଏହାକୁ କିପରି ତ୍ବରାନିତ କରାଯିବ ତା ଉପରେ ସରକାର ଧ୍ୟାନ ଦେବାକୁ ଦାବି ହୋଇଛି। ସେପଟେ ରାଜସ୍ଵ ମନ୍ତ୍ରୀ କହିଛନ୍ତି, ନଗର ଉନ୍ନୟନ ବିଭାଗ ଓ ରାଜସ୍ବ ବିଭାଗର ମିଳିତ ବୈଠକ ବସିଛି। ସବୁ ଦିଗ ପ୍ରତି ତର୍ଜମା କରାଯାଉଛି। ଆଇନ ସଂଶୋଧନ ନ କରି ସମାଧାନର ବାଟ ବାହାର କରିବାକୁ ଉଦ୍ୟମ କରାଯିବ। ଯଦି ଆବଶ୍ୟକ ପଡ଼େ ଆଇନରେ ସଂଶୋଧନ କରାଯିବ। ଦରକାର ପଡ଼ିଲେ ଅଧ୍ୟାଦେଶ ଜରିଆରେ ଡ଼େଭେଲପମେଣ୍ଟ ଆକ୍ଟ ଓ ରେରା ଆକ୍ଟରେ ସଂଶୋଧନ କରାଯିବ । ଗତ ତିନି ବର୍ଷରେ କେତେ ପାର୍ଟ ପ୍ଲଟ ବିକ୍ରୀ ହୋଇଛି ତାର ତଥ୍ୟ ଆଇଜିଆରଙ୍କୁ ମାଗିଛି ରାଜସ୍ବ ବିଭାଗ। କେବଳ ଭୁବନେଶ୍ବର ଅଧିନ ୪ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ପ୍ରାୟ ୨୦ ହଜାର ପ୍ଲଟ ବିକ୍ରୀ ହୋଇଥିବା ଜଣାପଡ଼ିଛି।