୧୦ ବର୍ଷ ପରେ ସଂଶୋଧନ ହେବାକୁ ଯାଉଛି ଜମିପଟ୍ଟା, ରହିବ ଅସଲି ମାଲିକଙ୍କ ନାମ

ଭୁବନେଶ୍ବର: ୧୦ ବର୍ଷ ପରେ ସଂଶୋଧନ ହେବ ଜମିପଟ୍ଟା । ପୂର୍ବ ସରକାର ମଧ୍ୟ ପଟ୍ଟା ଅପଡେଟ କରିବାକୁ ଉଦ୍ୟମ କରିଥିଲେ । ହେଲେ ତହସିଲଦାରଙ୍କ ମାନସିକତା, କାମର ଚାପ ଓ ମାନବ ସମ୍ବଳ ଅଭାବ ଯୋଗୁଁ ଏହା ସମ୍ଭବ ହୋଇପାରି ନଥିଲା । ଏବେ ବିଜେପି ସରକାର ପୁଣି ଥରେ ଜମିପଟ୍ଟାରେ ଅସଲ ମାଲିକଙ୍କ ନାମ ରଖିବାକୁ ଉଦ୍ୟମ ଆରମ୍ଭ କରିଛି । ରାଜସ୍ବ ବିଭାଗ ପକ୍ଷରୁ ଜାରି ହୋଇଛି ସ୍ବତନ୍ତ୍ର ଏସଓପି । ନିର୍ଦ୍ଦିଷ୍ଟ ସମୟ ସୀମା ସ୍ଥିର ହୋଇଛି । ଏଡିଏମ୍ ଜିଲ୍ଲା ସ୍ତରରେ ଓ ଉପଜିଲ୍ଲାପାଳ ସବଡିଭିଜନ ସ୍ତରରେ ନୋଡାଲ ଅଫିସର ଭାବେ କାମ କରିବେ । ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରାଯାଇଥିଲେ ମଧ୍ୟ ଏହାର ବାସ୍ତବ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିଛି ।
ସୁଦକ୍ଷ ରାଜସ୍ବ ପ୍ରଶାସନ ପାଇଁ ସଠିକ ଜମିପଟ୍ଟା ବା ଆରଓଆର ନିହାତି ଜରୁରୀ । ଜମିପଟ୍ଟା ସଂଶୋଧନ ପାଇଁ ରାଜସ୍ବ ବିଭାଗର ଚାଲିବ ସ୍ପେଶାଲ ଡ୍ରାଇଭ । ଜାରି ହେଲା ସ୍ବତନ୍ତ୍ର ଏସଓପି । ଉଦ୍ୟମକୁ ପ୍ରଶଂସା, ହେଲେ କାର୍ଯ୍ୟକାରିତାକୁ ନେଇ ଉଠିଲା ପ୍ରଶ୍ନ । ୧୯୬୨ରୁ ୨୦୧୪ ମଧ୍ୟରେ ବନ୍ଦୋବସ୍ତ ଜରିଆରେ ହୋଇଥିଲା ଜମିପଟ୍ଟାରେ ସଂଶୋଧନ । ଏହା ପରଠାରୁ ଆଉ ହୋଇନାହିଁ । ପଟ୍ଟାରେ ନାଁ ଥିବା ଲୋକଙ୍କ ମଧ୍ୟରୁ ୭୫ରୁ ୮୦ ପ୍ରତିଶତ ପ୍ରାଣ ହରାଇ ସାରିଲେଣି । ଜମିପଟ୍ଟାରେ ଉତ୍ତରାଧିକାରୀଙ୍କ ନାଁ ରହିବା ଜରୁରୀ । ବ୍ୟାଙ୍କ ଋଣ, କୃଷି ବୀମା ଓ ସରକାରୀ ସହାୟତା ପାଇଁ ସଠିକ୍ ଜମିପଟ୍ଟା ଜରୁରୀ । ରାଜ୍ୟରେ ୧ କୋଟି ୯୩ ଲକ୍ଷ ୭୭ ହଜାର ୩୭୬ଟି ଜମିପଟ୍ଟା ରହିଛି । ଯେଉଁଥିରେ ୩ କୋଟି ୯୫ ଲକ୍ଷ ୪୨ ହଜାର ୮୮୧ ଲୋକଙ୍କ ନାଁ ରେକର୍ଡରେ ରହିଛି । ହେଲେ ଗତ ୪ ବର୍ଷରେ ମାତ୍ର ୪ ଲକ୍ଷ ୧୨ ହଜାର ଲେକାଙ୍କ ଜମିପଟ୍ଟା ଅପଡେଟ ହୋଇପାରିଛି । ଓଡ଼ିଶା ସର୍ଭେ ଓ ସେଟଲମେଣ୍ଟ ଆଇନ ୧୯୫୮ ଅନୁସାରେ ସଠିକ୍ ପଟ୍ଟା ପ୍ରସ୍ତୁତ କରିବା ତହସିଲଦାରଙ୍କ ପ୍ରମୁଖ କାର୍ଯ୍ୟ । କିନ୍ତୁ ବିପର୍ଯ୍ୟୟ କ୍ଷୟକ୍ଷତି ଆକଳନ, ଜମି ଅଧିଗ୍ରହଣ, ବିସ୍ଥାପିତଙ୍କୁ ଥଇଥାନ, ଖଜଣା ଆଦାୟରେ ତହସିଲ କାର୍ଯ୍ୟାଳୟ ବ୍ୟସ୍ତ ରହୁଥିବାରୁ ହୋଇପାରୁନି ପଟ୍ଟା ସଂଶୋଧନ କାମ । କେବଳ ଚିଠି କରିଦେଲେ ହେବ ନାହିଁ, ଏସବୁ କରିବାକୁ ସରକାର ତହସିଲଦାରମାନଙ୍କୁ ସବୁ ପ୍ରକାର ସହାୟତା ବି ଦେବା ଜରୁରୀ ବୋଲି କହିଛନ୍ତି ସମୀକ୍ଷକ ।
ଜମିପଟ୍ଟାରେ ଅସଲ ଜମି ମାଲିକଙ୍କ ନାଁ ଲିପିବଦ୍ଧ କରିବାକୁ ସ୍ପେଶାଲ ଡ୍ରାଇଭ ଆରମ୍ଭ କରିଛି ରାଜସ୍ବ ବିଭାଗ । ଏଥିପାଇଁ ସ୍ବତନ୍ତ୍ର ଏସଓପି ବି ଜାରି ହୋଇଛି । ତହସିଲ ପ୍ରଶାସନ ଗାଁ ଗାଁ ବୁଲି ଏ ବାବଦରେ ଲୋକଙ୍କୁ ସଚେତନ କରିବେ । ସ୍ବତନ୍ତ୍ର କ୍ୟାମ୍ପ କରି ପଟ୍ଟାରେ ଥିବା ଲୋକଙ୍କ ଉତ୍ତରାଧିକାରୀ ନାଁ ଲିପିବଦ୍ଧ କରିବେ । ଯଦି ଉତ୍ତରାଧିକାରୀମାନେ ଆପୋଷ ବୁଝାମଣାରେ ଜମି ଭାଗ କରିବାକୁ ଚାହୁଁଥିବେ, ତାହା ତହସିଲ କାର୍ଯ୍ୟାଳୟରେ କରିବେ । ଉତ୍ତରାଧିକାରୀଙ୍କ ନାଁ ଲିପିବଦ୍ଧ କଲା ବେଳେ ଯେପରି କୌଣସି ମହିଳା ଉତ୍ତରାଧିକାରୀ ବାଦ ନପଡ଼ନ୍ତି, ସେଥିପ୍ରତି ଗୁରୁତ୍ବ ଦେବେ । ଅତିରିକ୍ତ ଜିଲ୍ଲାପାଳ ଜିଲ୍ଲାସ୍ତରରେ ଓ ଉପଜିଲ୍ଲାପାଳ ସବ ଡିଭିଜନ ସ୍ତରରେ ନୋଡାଲ ଅଫିସର ଭାବେ କାମ କରିବେ । ଜିଲ୍ଲାପାଳ ନିୟମିତ ବ୍ୟବଧାନରେ ସ୍ଥିତି ଅନୁଧ୍ୟାନ କରିବେ । ମୋବାଇଲ ଆପ୍ ଜରିଆରେ ବି ଉତ୍ତରାଧିକାରୀଙ୍କ ନାଁ ରେକର୍ଡ କରାଯାଇପାରିବ। ଏଥିରେ ଆଧାର କାର୍ଡ ନମ୍ବର ମଧ୍ୟ ରହିବ । ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ରାଜସ୍ବ ନିରୀକ୍ଷକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିବାରୁ ସେମାନଙ୍କ ପାଇଁ ସରକାର ଇନସେଣ୍ଟିଭ ବ୍ୟବସ୍ଥା ମଧ୍ୟ ରଖିଛନ୍ତି । ଜମିପଟ୍ଟା ସଂଶୋଧନକୁ ସ୍ବାଗତ କରିଛି କୃଷକ ସଙ୍ଗଠନ । ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଏହାର ଆବଶ୍ୟକତାକୁ ସ୍ବୀକାର କରିଥିବା ବେଳେ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ କରିଛନ୍ତି ।
ରାଜସ୍ବ ନିରୀକ୍ଷକ ମାନେ ପ୍ରତି ଗାଁରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରି ଜମି ପଟ୍ଟା ସଂଶୋଧନ କାମ ଆଗେଇ ନେବା ସହ ପ୍ରତିଦିନ ସର୍ବନିମ୍ନ ୨୫ଟି ଖାତା କିମ୍ବା ୨୫ଟି ମୃତ ପ୍ରଜାଙ୍କ ବଂଶାବଳୀ ପ୍ରସ୍ତୁତ କରିବାକୁ କୁହାଯାଇଛି । ରାଜସ୍ବ ବିଭାଗର ଏହା ଏକ ବୃହତ୍ତମ କାର୍ଯ୍ୟକ୍ରମ ହୋଇଥିବାରୁ ସରକାରୀ ନିର୍ଦ୍ଦେଶନାମା ସହ ଆବଶ୍ୟକ ଭିତ୍ତିଭୂମି ଓ ମାନବସମ୍ବଳ ଯୋଗାଇ ଦେବା ବି ଜରୁରୀ ରହିଛି ।