ଚାକିରି ବଦଳରେ ଜମି ଦୁର୍ନୀତି ମାମଲା: ଲାଲୁଙ୍କ ପରିବାରକୁ ମିଳିଲା ଜାମିନ

ବିହାର: ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ, ତେଜସ୍ୱୀ ଯାଦବ, ତେଜ ପ୍ରତାପ ଯାଦବଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟରୁ ମିଳିଲା ଆଶ୍ବସ୍ତି । ପ୍ରତ୍ୟେକ ଅଭିଯୁକ୍ତଙ୍କୁ ୧ ଲକ୍ଷ ଟଙ୍କା ବଣ୍ଡ ସହିତ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଏହାସହିତ କୋର୍ଟ ସମସ୍ତଙ୍କୁ ସେମାନଙ୍କ ପାସପୋର୍ଟ ସମର୍ପଣ କରିବାକୁ ଆଦେଶ ଦେଇଛନ୍ତି । କୋର୍ଟରେ ଶୁଣାଣି ସମୟରେ ଲାଲୁ ପ୍ରସାଦ ଯାଦବ, ତେଜସ୍ୱୀ ଯାଦବ, ତେଜ ପ୍ରତାପ ଯାଦବ ଏବଂ ମିସା ଭାରତୀ ଉପସ୍ଥିତ ଥିଲେ ।
କୋର୍ଟ କହିଛନ୍ତି ଯେ ଡକାଯାଇଥିବା ସମସ୍ତ ଅଭିଯୁକ୍ତ ହାଜର ହୋଇଛନ୍ତି। ସମସ୍ତ ଅଭିଯୁକ୍ତ ଜାମିନ ଆବେଦନ କରିଥିଲେ । ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୫ଅକ୍ଟୋବରରେ ହେବ। ଚାକିରି ଦୁର୍ନୀତି ମାମଲାରେ ରାଉସ୍ ଆଭେନ୍ୟୁ କୋର୍ଟରୁ ଜାମିନ ପାଇବା ପରେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଛନ୍ତି ଯେ ଏହି ମାମଲା ରାଜନୈତିକ ଷଡଯନ୍ତ୍ର। ଏହି ମାମଲାରେ କୌଣସି ଦମ୍ ନାହିଁ, ଏହା ଆମ ବିରୁଦ୍ଧରେ ଷଡଯନ୍ତ୍ର। ସେଥିପାଇଁ କୋର୍ଟରୁ ଆମକୁ ଜାମିନ ମିଳିଛି । ତଦନ୍ତକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର କରାଯାଉଛି। ସୂଚନାନୁଯାୟୀ ରେଳବାଇରେ ଗ୍ରୁପ୍ ଡି ଚାକିରି ବଦଳରେ ଜମି ନେଇଥିବା ଅଭିଯୋଗ ଏବଂ ଟଙ୍କା ହେରଫେର ମାମଲାରେ ୧୧ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା ।
ଅଭିଯୋଗ ଅନୁଯାୟୀ ଲାଲୁ ପ୍ରସାଦ ୨୦୦୪ ରୁ ୨୦୦୯ ମଧ୍ୟରେ ଦେଶର ରେଳମନ୍ତ୍ରୀ ଥିଲେ, ସେ ତାଙ୍କ ପଦର ଅପବ୍ୟବହାର କରିଥିଲେ ଏବଂ ଜମି ବଦଳରେ ରେଳବାଇରେ ଗ୍ରୁପ୍ ଡି ନିଯୁକ୍ତିରେ ଅନେକ ଲୋକଙ୍କୁ ନିଯୁକ୍ତି ଦେଇଥିଲେ। ଏହାସହିତ ରାବ୍ରି ଦେବୀ ଏବଂ ତାଙ୍କ ଝିଅ ମିସା ଭାରତୀ ଏବଂ ହେମା ଯାଦବଙ୍କ ନାମରେ ଜମି ହସ୍ତାନ୍ତର କରାଯାଇଛି। ସିବିଆଇ ଦାବି କରିଛି ଯେ ଏଭଳି ନିଯୁକ୍ତି ପାଇଁ କୌଣସି ବିଜ୍ଞାପନ କିମ୍ବା କୌଣସି ସାର୍ବଜନୀନ ବିଜ୍ଞପ୍ତି ପ୍ରକାଶ ପାଇନାହିଁ, ତଥାପି ମୁମ୍ବାଇ, ଜବଲପୁର, କୋଲକାତା, ଜୟପୁର ଏବଂ ହାଜିପୁରର ବିଭିନ୍ନ ଜୋନାଲ ରେଳପଥରେ ପାଟଣାର ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇଥିଲା | ଇଡି ଏହି ଘଟଣାର ଅନୁସନ୍ଧାନ କରୁଥିବା ବେଳେ ଇଡି ଦ୍ବାରା ଦାଖଲ ହୋଇଥିବା ସପ୍ଲିମେଣ୍ଟାରୀ ଚାର୍ଜସିଟ୍କୁ ଗ୍ରହଣ କରି କୋର୍ଟ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାରକୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ।