ସୀମା ବିବାଦ ସମାଧାନ ପାଇଁ ପ୍ରଶାସନିକ ତତ୍ପରତା

ଭୁବନେଶ୍ୱର: ଓଡ଼ିଶାର ସୀମାକୁ ଲାଗି ଥିବା ରାଜ୍ୟଗୁଡିକ ସହ ଦୀର୍ଘଦିନ ଧରି ସୀମା ବିବାଦ ଲାଗି ରହିଛି  । ବିଭିନ୍ନ ଗ୍ରାମ ଓ ପଡାକୁ ନେଇ ଥିବା ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ରାଜସ୍ୱ ବିଭାଗ ସମ୍ପର୍କିତ ଏହି ମାମଲା ହୋଇଥିବାରୁ ଏନେଇ ପ୍ରଶାସନିକ ସ୍ତରରେ ଆଲୋଚନା ଆରମ୍ଭ ହୋଇଥିବା ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି ଯେ, କେତେକ ସୀମାବିବାଦର ସମାଧାନ ଆପୋସ ବୁଝାମଣା ମାଧ୍ୟମରେ ହୋଇପାରିବ । ସେଥିପାଇଁ ଚେଷ୍ଟା ଚାଲିଛି । ଅପରପକ୍ଷରେ ବିରୋଧୀ ଦଳ  ବିଜେପି ସର୍ବଦଳୀୟ ବୈଠକ ଡାକିବା ନେଇ ମତ ରଖିଛି । ହେଲେ କଂଗ୍ରେସ ଏହିସବୁ ବିବାଦ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛି ।

ବିଶେଷକରି ଓଡ଼ିଶା ସହ ପଡୋଶୀ ଆନ୍ଧ୍ର ପ୍ରଦେଶ , ଛତିଶଗଡ଼, ଝାଡ଼ଖଣ୍ଡ ସହ ଦୀର୍ଘ ଦିନ ଧରି ଲାଗିରହିଥିବା ସୀମା ବିବାଦର ସମାଧାନ ହେବ । ଯେଉଁଠାରେ  ସୀମା ବିବାଦ ଅଛି ସେଠାରେ ପ୍ରଶାସନିକ ସ୍ତରରେ ଆଲୋଚନା ଜାରି ରହିଥିବା ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି । ଆନ୍ଧ୍ର ପ୍ରଦେଶ  ପ୍ରଶାସନ ଏକପାଖିଆ ଭାବେ ଓଡ଼ିଶାର ସାମ୍ବାଥଇ ପଂଚାୟତ ଅନ୍ତର୍ଗତ ସୁନାବେଡ଼ା ମୋଜୁର କିଛି ଅଂଶ ନିଜର ବୋଲି ଦାବି କରିଛି । ଯାହାକୁ ନେଇ ଏବେ ପ୍ରତିବାଦର ସ୍ୱର ଉଠିବା ପରେ ଉଭୟ ରାଜ୍ୟର  ସ୍ଥାନୀୟ ପ୍ରଶାସନ ଏନେଇ ଆପୋଷ ସମାଧାନ ପାଇଁ ଆଲୋଚନା କରିଥିବା ରାଜସ୍ୱ ମନ୍ତ୍ରୀ କହିଛନ୍ତି । ତେଣୁ ଖୁବଶୀଘ୍ର ଏ ସମସ୍ୟାର ସମାଧାନ ହେବ ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ଏହାସହ କେତେକ ଅଂଚଳରେ ଉଭୟ ପକ୍ଷ ଆଲୋଚନା ହେବା ପରେ ପୋତାଯାଇଥିବା ଖୁଣ୍ଟି  ଉଠାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave a Reply