୮ ମାସ ପରେ ମିଳିଲା ନିଖୋଜ ବ୍ୟକ୍ତିଙ୍କ କଙ୍କାଳ: ୫ ଜଣଙ୍କୁ ଗିରଫ କଲା ପୋଲିସ

ଲମତାପୁଟ: ୮ ମାସ ପରେ ମିଳିଲା ନିଖୋଜ ବ୍ୟକ୍ତିଙ୍କ କଙ୍କାଳ । କୋରାପୁଟ ଜିଲ୍ଲା ଲମତାପୁଟ ଡୁମୁରିବାରି ଗାଁର ଦାସ ହନ୍ତାଳଙ୍କ କଙ୍କାଳ ଉଦ୍ଧାର କରିଛି ପାଡୁଆ ଥାନା ପୋଲିସ । ତାଙ୍କୁ ହତ୍ୟା ପାଇଁ ସୁପାରି ଦେଇଥିବା ମୁଖ୍ୟ ଅଭିଯୁକ୍ତ ଶିବ ଖରା ସହ ୫ଜଣଙ୍କୁ ପୋଲିସ ଗିରଫ କରିଛି । ଗତ ମାର୍ଚ୍ଚ ମାସରେ ଦାସ ହନ୍ତାଳ ନିଖୋଜ ହୋଇଯାଇଥିଲେ । ରାଜନୀତିରେ ସକ୍ରିୟ ଥିବା ସହ କଣ୍ଟ୍ରାକ୍ଟର ଥିଲେ ଦାସ ହନ୍ତାଳ । ତାଙ୍କୁ ମାଓବାଦୀ ଉଠାଇ ନେଇଥିବା ପରିବାର ସନ୍ଦେହ କରିଥିଲେ । ଭୟରେ ପୋଲିସକୁ ଜଣାଇନଥିଲେ । ୩ ମାସ ଅପେକ୍ଷା କରିବା ପରେ ଜୁନ୍‌ ମାସରେ ଥାନାରେ ଏତଲା ଦେଇଥିଲେ ପରିବାର ଲୋକ ।

ତଦନ୍ତ ବେଳେ ଶିବ ଖରା ସହ ଦାସ ହନ୍ତାଳଙ୍କ ଶତ୍ରୁତା କଥା ଜାଣିବାକୁ ପାଇଥିଲା ପୋଲିସ । ଗତକାଲି ପୋଲିସ ଶିବ ଖରାକୁ ଉଠାଇ ନେଇ ପଚରାଉଚରା ବେଳେ ସତ ଉଗାରିଥିଲା ଶିବ । ପୂର୍ବ ଶତ୍ରୁତାରୁ ଦାସ ହତ୍ୟା କରାଯାଇଥିବା ଏସଡିପିଓ ସୂଚନା ଦେଇଛନ୍ତି । କିଛି ଯୁବକଙ୍କୁ ସୁପାରି ଦେଇ ଲକ୍ଷେ ଟଙ୍କାରେ ଡିଲ୍ ଫାଇନାଲ୍ କରିଥିଲା ଶିବ । ମେ ମାସରେ ୬୦ ହଜାର ଟଙ୍କା ଦେଇଥିଲା । ୫ ଯୁବକ ଦାସ ହନ୍ତାଳଙ୍କୁ ହତ୍ୟା କରି ଡୁମୁରିବାରି ଜଙ୍ଗଲରେ ପୋତିଦେଇଥିଲେ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପାଡୁଆ ପୋଲିସ ଅଭିଯୁକ୍ତଙ୍କୁ ନେଇ ସିନ୍ ରିକ୍ରିଏଟ କରିବା ସହ କଙ୍କାଳ ଉଦ୍ଧାର କରିଛି । ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ଆସନ୍ତା ୧୦ ତାରିଖରୁ ରାଜ୍ୟରେ ବଢ଼ିବ ଶୀତ: ୨ରୁ୩ ଡିଗ୍ରୀ କମିବ ତାପମାତ୍ରା

 

Leave a Reply