ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ଲମତାପୁଟ: ଭଲ ରାସ୍ତା ନାହିଁ କି ପାନୀୟ ଜଳ ସୁବିଧା ନାହିଁ, ରୋଗୀଙ୍କ ଭରସା ଭାର

ଲମତାପୁଟ: ସରକାରଙ୍କ ଦୃଷ୍ଟି ଆଢୁଆଳରେ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଗଣ୍ଠିଗୁଡା ଓ ଉଚେଇପଡା ଗାଁ । ଗାଁକୁ ଭଲ ରାସ୍ତା ନଥିବା ବେଳେ ଲୋକଙ୍କୁ ପିଇବା ପାଇଁ ଭଲ ପାଣି ମଧ୍ୟ ମିଳୁନାହିଁ । ବାଧ୍ୟ ହୋଇ ରୋଗୀ ମାନଙ୍କୁ ଭାରରେ ବୋହି ମେଡିକାଲ ନେଉଛନ୍ତି ଲୋକେ । ୨୦୨୪ ସାଧାରଣ ନିର୍ବାଚନ ସମୟରେ ରାସ୍ତା ଓ ପାଣି ସମସ୍ୟା ନେଇ ଗାଁ ଲୋକେ ଭୋଟ ବର୍ଜନର ଆନ୍ଦୋଳନ ବି କରିଥିଲେ। ମିଳିଥିଲା ଅନେକ ପ୍ରତିଶ୍ରୁତି । ହେଲେ ଏଯାଏ କାହାରି ଦେଖା ମିଳୁନଥିବାରୁ ନିରାଶ ହୋଇପଡିଛନ୍ତି ଉପାନ୍ତବାସୀ ।

ଗାଁକୁ ଭଲ ରାସ୍ତା ନାହିଁ କି ଲୋକଙ୍କୁ ପିଇବା ପାଇଁ ଭଲ ପାଣି ମଧ୍ୟ ମିଳୁନାହିଁ । ବର୍ଷବର୍ଷ ଧରି ଦୂଷିତ ଝରଣା ପାଣି ବ୍ୟବହରା କରୁଛନ୍ତି ଲୋକେ । ଗାଁକୁ ଭଲ ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ପାରୁନାହିଁ । ରୋଗୀ ମାନଙ୍କୁ ଭାରରେ ବୋହି ମେଡିକାଲ ନେଉଥିବା କହିଛନ୍ତି ଲୋକେ । ଗଣ୍ଠିଗୁଡା ଗାଁରେ ପ୍ରାୟ ୩୦ଟି ପରିବାର ରହିଥିବା ବେଳେ ଉଚେଇପଡା ଗାଁରେ ୬୦ଟି ପରିବାର ବସବାସ କରୁଛନ୍ତି। ଦୁଇ ଗାଁରେ ଲାଗି ରହିଥିବା ପାନୀୟ ଜଳ ଓ ରାସ୍ତା ସମସ୍ୟା ନେଇ ବ୍ଲକ ଠାରୁ ଆରମ୍ଭ କରି ଜିଲା ପ୍ରଶାସନଙ୍କ ନିକଟରେ ଗ୍ରାମବାସୀ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ । ଦୂଷିତ ପାଣି ବ୍ୟବହାର କରି ବିଭିନ୍ନ ରୋଗରେ ଗାଁ ଲୋକେ ଆକ୍ରାନ୍ତ ହେଉଛନ୍ତି । ଘାଟି ଓ ପଥୁରିଆ ରାସ୍ତା ଯୋଗୁ ଅନେକ ଲୋକଙ୍କ ଦୁର୍ଘଟଣା ହେଉଥିବା ମଧ୍ୟ ଗାଁ ଲୋକେ ଅଭିଯୋଗ କରିଛନ୍ତି ।

ଉଚେଇପଡା ଓ ଗଣ୍ଠିଗୁଡା ଗାଁ ଲୋକେ ମିଳିତ ଭାବରେ ଗତ ୨୦୨୪ ସାଧାରଣ ନିର୍ବାଚନ ସମୟରେ ପାଣି ଓ ରାସ୍ତା ନାହିଁ ତ ଭୋଟ ନାହିଁ ବୋଲି ଭୋଟ ବର୍ଜନ ପାଇଁ ଆନ୍ଦୋଳନ ମଧ୍ୟ କରିଥିଲେ । ନେତା ଓ ପ୍ରଶାସନ ଅଧିକାରୀ ଯାଇ ଲୋକଙ୍କୁ ସମସ୍ୟାର ସାମାଧାନ ପାଇଁ ପ୍ରତିଶ୍ରୁତି ଦେଇ ଭୋଟ ଦେବାକୁ କହିଥିଲେ । ହେଲେ ନିର୍ବାଚନ ପରେ କୌଣସି ନେତା କିମ୍ବା ସରକାରୀ ଅଧିକାରୀ ସେଠାରେ ପହଞ୍ଚି ନାହାଁନ୍ତି । ଏବେ ନିଜ ଭାଗ୍ୟକୁ ଆଦରି ବସିଛନ୍ତି ଦୁଇ ଗ୍ରାମବାସୀ । ସେପଟେ ଲମତାପୁଟ ବିଡିଓ କହିଛନ୍ତି ରାସ୍ତା ଖରାପ ଯୋଗୁଁ ବୋରୱେଲ ଗାଡି ଗାଁକୁ ଯାଇପାରୁନି । ରାସ୍ତା କାମ ହେଲେ ପାଣି ସମସ୍ୟା ଦୂର ହେବ ।