ମୋଦି ହିନ୍ଦୁ ନୁହଁନ୍ତି, ନୀତୀଶ ପଲଟୁରାମ: ଲାଲୁ

1 min read

ପାଟନା: ବିହାର ରାଜଧାନୀ ପାଟନାରେ ଚାଲିଛି ଇଣ୍ଡିଆ ମେଣ୍ଟର ରାଲି । ଏଥିରେ ସାମିଲ ହୋଇ ଆରଜେଡି ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରି ସେ ହିନ୍ଦୁ ନୁହଁନ୍ତି ବୋଲି କହିଛନ୍ତି ଲାଲୁ । ସେହିପରି ନୀତୀଶ କୁମାରଙ୍କୁ ପଲଟୁରାମ କହି କକ୍ଷାକ୍ଷ କରିଛନ୍ତି ।

ବିହାରୀ ବାବୁ ଷ୍ଟାଇଲରେ ଲାଲୁ କହିଛନ୍ତି, ‘ମୋଦି କୋଇ ଚିଜ୍ ହୈ କ୍ୟା… । ଆଜିକାଲି ପରିବାରବାଦକୁ ନେଇ ମୋଦି ସମାଲୋଚନା କରୁଛନ୍ତି । ପରିବାର ପାଇଁ ଲୋକେ ଲଢୁଛନ୍ତି ବୋଲି କହୁଛନ୍ତି । ହେଲେ ଆପଣଙ୍କ ପାଖରେ ପରିବାର ନାହିଁ । ଆପଣଙ୍କ ମାଆଙ୍କ ଦେହାନ୍ତ ହେଲା । ହିନ୍ଦୁ ପରମ୍ପରା ଅନୁସାରେ ମାଆ ପାଇଁ ଡାଲି ଚୋପା ଛଡାଇବା କଥା, ହେଲେ ଆପଣ କରିଛନ୍ତି କି ? ରାମ-ରହିମଙ୍କ ଅନୁଗାମୀ ଦେଶରେ ଘୃଣା ଭାବ ସୃଷ୍ଟି କରୁଛନ୍ତି ।’

ନୀତୀଶ ‘ପଲଟୁରାମ’

ସେହିପରି ମହାରାଲିରେ ନୀତୀଶ କୁମାରଙ୍କୁ ପଲଟୁରାମ କହି କଟାକ୍ଷ କରିଛନ୍ତି ଲାଲୁ । କହିଛନ୍ତି, ‘ମୁଁ ନୀତୀଶ କୁମାରଙ୍କୁ କେବେ କୌଣସି ଗାଳି, ଗୁଲଜ କରିନାହିଁ । ପ୍ରଥମେ ଯେବେ ସେ ଆମ ସହ ମେଣ୍ଟ ଭାଙ୍ଗି ଥିଲେ, ମୁଁ ଗାଳି ଦେଇ ନଥିଲି କେବଳ ପଲଟୁରାମ କହିଥିଲି । ତାଙ୍କୁ ଆରଜେଡି ସହ ମେଣ୍ଟ ଭାଙ୍ଗିବାର ନଥିଲା । ତେଜସ୍ବୀ ଭୁଲ କରିଛନ୍ତି । ଦ୍ବିତୀୟ ଥର ବଦଳି ଗଲେ ଓ ମୋଦିଙ୍କ ପାଦ ତଳକୁ ନୀତୀଶ ଚାଲିଗଲେ ।’