ଏହି ସିଟ୍‌ରୁ ହାରିଥିଲେ ଲାଲୁଙ୍କ ପତ୍ନୀ ସମୂଦି, ଝିଅ ଫେରାଇ ଆଣିବେ କି ସାରଣ ?

1 min read

ପାଟନା: ଏଥର ବିହାର ସାରଣ ଲୋକସଭା ନିର୍ବାଚନ ମଣ୍ଡଳୀରେ ରୋଚକ ଲଢେଇ । ରାଜନୀତିରେ ପ୍ରଥମ ଥର ଲାଗି ଭାଗ୍ୟ ପରୀକ୍ଷା କରିବେ ପୂର୍ବତନ ମୁଖ୍ଯମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ । ରୋହିଣୀ ହେଉଛନ୍ତି ଲାଲୁ ପ୍ରସାଦଙ୍କ ଡାକ୍ତରୀ କନ୍ଯା ଏବଂ ସେ ସିଙ୍ଗାପୁରରେ ରୁହନ୍ତି । ଗତ ୨୦୨୨ରେ ବାପାଙ୍କୁ କିଡନୀ ଦାନ କରି ସାରା ଦେଶରେ ଚର୍ଚ୍ଚାରେ ଥିଲେ ରୋହିଣୀ । ତେବେ ତାଙ୍କୁ ଟକ୍କର ଦେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ହେଭିଓ୍ବେଟ ରାଜୀବ ପ୍ରତାପ ରୁଡୀ।

ଏହି ଆସନରୁ ରୁଡୀ ଦୁଇ ଥର ସାଂସଦ ହୋଇଥିଲେ । ୨୦୦୯ରେ ସେ ଲାଲୁ ପ୍ରସାଦଙ୍କ ଠାରୁ ହାରିଥିଲେ । ମାତ୍ର ୨୦୧୪ରେ ସେ ରାବଡୀ ଦେବୀଙ୍କୁ ପରାସ୍ତ କରିଥିଲେ । ୨୦୧୯ରେ ଲାଲୁଙ୍କ ପୁଅ ତେଜପ୍ରତାପଙ୍କ ଶ୍ବଶୁର ଚନ୍ଦ୍ରିକା ରାୟଙ୍କୁ  ପରାସ୍ତ କରିଥିଲେ ରୁଡୀ । ଏବେ ପ୍ରତିଶୋଧ ନେଇପାରିବେ କି ରୋହିଣୀ- ତାହାକୁ ନେଇ ଅନେକ ପ୍ରଶ୍ନ । ଲାଲୁ ପ୍ରସାଦ ଯାଦବ ଶେଷଥର ସାରଣରୁ ୨୦୦୯ରେ ସଂସଦୀୟ ନିର୍ବାଚନ ଲଢି ସାଂସଦ ନିର୍ବାଚିତ ହୋଇଥିଲେ । ଏହା ପରଠୁ ୨୦୧୪ରୁ ସାରଣ ଆସନ ଆରଜେଡି ହାତରୁ ଚାଲିଯାଇଛି  ।

ସେପଟେ ଅନ୍ୟତମ ହାଇପ୍ରୋଫାଇଲ ଆସନ ହାଜିପୁରରେ କିଏ ମାରିବେ ବାଜି ତାହାକୁ ନେଇ ଚର୍ଚ୍ଚା । ଏହି ଆସନରୁ ଏବେ ଲଢୁଛନ୍ତି ଲୋକଜନଶକ୍ତି ପାର୍ଟି(ରାମବିଳାସ) ନେତା ତଥା ରାମ ବିଳାସ ପାଶ୍ବାନଙ୍କ ପୁଅ ଚିରାଗ । ତାଙ୍କୁ ଟକ୍କର ଦେଉଛନ୍ତି ଆରଜେଡିର ଶିବଚନ୍ଦ୍ର ରାମ । ୧୯୭୭ରୁ ୨୦୦୪ ମଧ୍ଯରେ ଏହି ଆସନରୁ ୮ ଥର ସାଂସଦ ହୋଇଥିଲେ ରାମ ବିଳାସ ପାଶୱାନ । ମାତ୍ର ୨୦୧୯ରେ ଏଠାରୁ ନିର୍ବାଚିତ ହୋଇଥିଲେ ତାଙ୍କ ଭାଇ ତଥା ରାଷ୍ଟ୍ରୀୟ ଲୋକଜନଶକ୍ତି ପାର୍ଟି ନେତା ପଶୁପତି କୁମାର ପାରସ । ହାଜିପୁର ଆସନ ଲାଗି ଏନଡିଏ ସହ ବେଶ୍ ଆଲୋଚନା କରିଥିଲେ ପଶୁପତି । ମାତ୍ର ଏହି ଆସନ ଚିରାଗଙ୍କୁ ଦେବା ଲାଗି ଘୋଷଣା ହେବା ପରେ ଖାଦ୍ଯ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ପଶୁପତି ।