ଚାରା ଘୋଟାଲା ମାମଲାରେ ପୁଣି ଦୋଷୀ ସାବ୍ୟସ୍ତ ହେଲେ ଲାଲୁ

ରାଞ୍ଚି: ୧୩୯ କୋଟିର ଚାରା ଘୋଟାଲାରେ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କୁ ପୁଣି ଝଟକା । ଚାରା ଘୋଟାଲା ମାମଲାରେ ପୁଣି ଥରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଲାଲୁ । ଚାରା ଘୋଟାଲାର ପଞ୍ଚମ କେସରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବ । ରାଞ୍ଚି ସ୍ଥିତ ସିବିଆଇର ସ୍ପେଶାଲ କୋର୍ଟ ଏହି ରାୟ ଦେଇଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଦଣ୍ଡ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ । ଯଦି ଲାଲୁଙ୍କୁ ତିନି ବର୍ଷରୁ କମ୍ ଦଣ୍ଡ ଦିଆଯାଏ ତେବେ ଲାଲୁ ଯାଦବଙ୍କୁ ଜାମିନ ମିଳିପାରିବ ।  କିନ୍ତୁ ଯଦି ତିନି ବର୍ଷରୁ ଅଧିକ ଦଣ୍ଡ ଦିଆଯାଏ ତେବେ ଲାଲୁପ୍ରସାଦ ଯାଦବଙ୍କୁ ପୁଣି ତରେ ଜେଲ ଯିବାକୁ ପଡ଼ିବ ।

ଏହା ପୂର୍ବରୁ ଲାଲୁପ୍ରସାଦ ଯାଦବଙ୍କୁ ଚାରା ଘୋଟାଲାରେ ଜଡିତ ଚାରୋଟି ମାମଲାରେ ୧୪ ବର୍ଷ ଦଣ୍ଡ ଦିଆଯାଇଥିଲା । ଏହା ସହିତ ତାଙ୍କୁ ୬୦ ଲକ୍ଷ ଜରିମାନା ମଧ୍ୟ ଦେବାକୁ ପଡ଼ିଥିଲା । ବର୍ତ୍ତମାନ ଲାଲୁ ପ୍ରସାଦ ଯାଦବ ଜାମିନରେ ଆସି ବାହାରେ ଅଛନ୍ତି । ଲାଲୁଙ୍କ ସହ ଆଉ ୭୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସିବିଆଇ ସ୍ପେଶାଲ କୋର୍ଟ ।  ସିବିଆଇ ସ୍ପେଶାଲ କୋର୍ଟଙ୍କ ଏହି ନିଷ୍ପତ୍ତି ଆସିବା ପରେ କୋର୍ଟ ବାହାରେ ଥିବା ଆରଜେଡି ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ନିରାଶ ଛାଇ ଯାଇଛି । କୋର୍ଟର ଏହି ନିଷ୍ପତ୍ତି ସମୟରେ ଲାଲୁ ଯାଦବଙ୍କ ଝିଅ ତଥା ସାଂସଦ ସୀମା ଭାରତୀ ଲାଲୁଙ୍କ ସହ କୋର୍ଟରେ ଉପସ୍ଥିତ ଥିଲେ।

Leave a Reply