ମହଙ୍ଗା ପଡ଼ିଲା ଅମୀରଙ୍କ ମନ୍ତବ୍ୟ, ବକ୍ସ ଅଫିସରେ ଫିକା ପଡ଼ିଲା ‘ଲାଲ ସିଂ ଚଡ୍ଡା’

1 min read

ମୁମ୍ବାଇ: ରିଲିଜ୍ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ’ଲାଲ୍ ସିଂ ଚଢ଼ା’ । ଅମୀର ଖାନଙ୍କ ଫିଲ୍ମକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ରହିଥାଏ । କିନ୍ତୁ ଚଳିତ ଥର ଦର୍ଶକଙ୍କ ମଧ୍ୟରେ ଏଭଳି ଉତ୍ସାହ ଦେଖିବାକୁ ମିଳିନାହିଁ । ଅମୀର ଖାନଙ୍କ ଫିଲ୍ମ ରିଲିଜ୍ ପୂର୍ବରୁ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିଥିଲା ’ବଏକଟ୍‌ ଲାଲ୍ ସିଂ ଚଢ଼ା’ । ଫିଲ୍ମ ବିରୋଧରେ ଦର୍ଶକଙ୍କ ଏଭଳି ପ୍ରତିକ୍ରିୟା ଦେଖି ଚିନ୍ତାରେ ପଡ଼ିଯାଇଥିଲେ ଅମୀର । ତେବେ ଆଜି ଫିଲ୍ମ ରିଲିଜ୍ ପରେ ଯାହା ଆଶା କରାଯାଉଥିଲା ତାହା ଦେଖିବାକୁ ମିଳିଛି । ଅମୀରଙ୍କ ଫିଲ୍ମ ରିଲିଜ୍ ହେଲେ ଯେଉଁଠି ହଲରେ ଟିକେଟ ମିଳେ ନାହିଁ ଏବେ ସେହି ହଲରେ ବହୁ ସଂଖ୍ୟାରେ ସିଟ୍‌ ଖାଲି ପଡ଼ୁଥିବାରୁ ଦେଖିବାକୁ ମିଳିଛି । ଦେଶର ବିଭିନ୍ନ ଫିଲ୍ମ ହଲରେ ଦର୍ଶକଙ୍କ ଭିଡ଼ ପରିଲିକ୍ଷିତ ହେଉନାହିଁ । ବିଭିନ୍ନ ହଲର ଟିକେଟ ମଧ୍ୟ ପୂରା ବିକ୍ରି ହେଉନାହିଁ ।

ସେପଟେ ଏହି ଫିଲ୍ମ ଏକ ନିରାଶ ଜନକ ଫିଲ୍ମ ବୋଲି କହିଛନ୍ତି ଫିଲ୍ମ ସମୀକ୍ଷକ ତରୁଣ ଆଦର୍ଶ । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ ଅମୀର ଖାନଙ୍କ ‘ଲାଲ୍ ସିଂ ଚଡ୍ଡା’ର ତେଲ ରାସ୍ତା ମଝିରେ ହିଁ ସରିଗଲା । ଫିଲ୍ମରେ ରୋମାଞ୍ଚିତ କରିବା ଭଳି କିଛି ଚିତ୍ରନାଟ୍ୟର ଅଭାବ ରହିଛି । ଫିଲ୍ମର ଇଣ୍ଟରଭାଲ ପରେ ଫିଲ୍ମ ଅଧିକ ନିରାଶ କରୁଛି । ଫିଲ୍ମରେ କିଛି ଜବରଦସ୍ତ କ୍ଷଣ ରହିଛି । କିନ୍ତୁ ମୋଟା ମୋଟି ଭାବରେ ଏହି ଫିଲ୍ମଟି ନିରାଶଜନକ ବୋଲି କହିଛନ୍ତି ଫିଲ୍ମ ସମୀକ୍ଷକ ତରୁଣ ଆଦର୍ଶ ।

ତେବେ କିଛି ଦିନ ହେବ ସୋସିଆଲ ମିଡିଆରେ ’ବୟକଟ୍‌ ଲାଲ୍ ସିଂ ଚଢ଼ା’ ଯେଉଁ ଟ୍ରେଣ୍ଡ ଚାଲିଥିଲା ତାହାକୁ ନେଇ ମୁଁହ ମଧ୍ୟ ଖୋଲିଥିଲେ ଅମୀର । ସେ କହିଥିଲେ କି ଯଦି ମୁଁ କାହା ମନରେ କୌଣସି ପ୍ରକାରେ କଷ୍ଟ ଦେଇଥାଏ, ତେବେ ସେଥିପାଇଁ ମୁଁ କ୍ଷମା ମାଗୁଛି । କାହା ମନରେ ଆଘାତ ଦେବାକୁ ମୁଁ ଚାହେ ନାହିଁ । ଯଦି କିଏ ଫିଲ୍ମ ଦେଖିବାକୁ ନ ଚାହାନ୍ତି, ମୁଁ ତାଙ୍କ ଭାବନାକୁ ସମ୍ମାନ ଦେଉଛି। କିନ୍ତୁ ଯଦି ସେମାନେ ଫିଲ୍ମ ଦେଖିବାକୁ ଯିବେ ତେବେ ମୁଁ ଖୁସି ହେବି ଏବଂ ଆମର ଶ୍ରମ ସାର୍ଥକ ହେବ। ବହୁ ଲୋକ ଏଥିପାଇଁ କଠିନ ପରିଶ୍ରମ କରିଛନ୍ତି। ମୁଁ ଆଶା କରୁଛି ଲୋକଙ୍କୁ ଏହା ଭଲ ଲାଗିବ। ତେବେ ଅମୀର କ୍ଷମା ମାଗିବା ପରେ ମଧ୍ୟ ପ୍ରଥମ ଦିନରେ ପୂରା ଭାରତରେ ତାଙ୍କ ଫିଲ୍ମକୁ ଭଲ ରେସପନ୍ସ ମିଳିନଥିବା ଦେଖିବାକୁ ମିଳିଛି ।