ଗୋଟିଏ ରାସ୍ତାକୁ ଦୁଇ ଥର ବିଲ କରି ଲକ୍ଷାଧିକ ଟଙ୍କା ଲୁଟ୍‌ ଅଭିଯୋଗ

ଗୋଟିଏ ରାସ୍ତାକୁ ଦୁଇ ଥର ବିଲ କରି ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ । ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳି ତିହିଡି ବ୍ଲକ ଗୁଆମାଳ ପଞ୍ଚାୟତରୁ ଏଭଳି ଅଭିଯୋଗ ଆସିଛି । ଏହି ପଞ୍ଚାୟତର ଗଣେଶରପୁର ଗ୍ରାମରେ ଗୋଟିଏ ରାସ୍ତା ନିର୍ମାଣ ହୋଇ ଦୁଇ ଦୁଇଟି ବିଲ କରାଯିବା ଓ ଲକ୍ଷାଧିକ ଟଙ୍କା ହଡପ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗତ ଡିସେମ୍ବର ମାସରେ ଦାନା କ୍ଷୟକ୍ଷତିରେ ଗଣେଶରପୁର ଗ୍ରାମର ଆଚାର୍ଯ୍ୟ ସହିଠାରୁ ମହାଳିକ ସାହି ପର୍ଯ୍ୟନ୍ତ ରାସ୍ତା ମରାମତି ପାଇଁ ଏକ ଲକ୍ଷ ଅଠାନବେ ହଜାର ଟଙ୍କା ଅନୁଦାନ ଯୋଗାଇ ଦିଆଯାଇ ରାସ୍ତା ନିର୍ମାଣ ହୋଇଥିଲା । ପରେ ପୁନର୍ବାର ଚଞ୍ଚକତା କରି ସମାନ ରାସ୍ତାକୁ ଆଚାର୍ଯ୍ୟ ଘର ଠାରୁ ଅରୁଣ ପଣ୍ଡା ଘର ଦର୍ଶାଇ ପଞ୍ଚାୟତ ଏସଏଫସୀ ଫଣ୍ଡରେ ଦେଢ଼ ଲକ୍ଷ ଟଙ୍କା ବିଲ କରି ହରିଲୁଟ କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ରାସ୍ତା କାମ ମଧ୍ୟ ଅତି ନିମ୍ନମାନର କରାଯାଇଥିବା ଅଭିଯୋଗ ହୋଇଛି । ଏଥି ନେଇ ଗ୍ରାମବାସୀଙ୍କ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରାଯାଇଛି ।.