ମାଘ ସପ୍ତମୀ: ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ
ନନ୍ଦିଘୋଷ ବ୍ୟୁରୋ: ଆଜି ପବିତ୍ର ମାଘ ସପ୍ତମୀ । ପରମ୍ପରା ଅନୁଯାୟୀ କୋଣାର୍କ ନିକଟ ପବିତ୍ର ଚନ୍ଦ୍ରଭାଗା ପୁଷ୍କରିଣୀରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ବୁଡ ପକାଇ ସୌଭାଗ୍ୟ ପ୍ରାପ୍ତି ହୋଇଛନ୍ତି । ପରମ୍ପରା ଅନୁସାରେ ମାଧିପୁରର ଶ୍ରୀ ଶ୍ରୀ ତ୍ରିବେଣୀଶ୍ଵର ମହାଦେବ, ସନ୍ଥପୁରର ଶ୍ରୀ ଶ୍ରୀ ଐଶାନ୍ୟଶ୍ଵର ମହାଦେବ ଓ କୁରୁଜଙ୍ଗର ଶ୍ରୀ ଶ୍ରୀ ଦକ୍ଷିନେଶ୍ବର ମହାଦେବ ଆଜି ବଡି ଭୋର ସମୟରେ ଚନ୍ଦ୍ରଭାଗା ତୀର୍ଥରେ ମହାସ୍ନାନ କରିଥିଲେ । ଏହା ପରେ ସାଧୁ ସନ୍ଥ ଓ ଶ୍ରଦ୍ଧାଳୁମାନେ ବୁଡ ପକାଇଥିଲେ ।
ତିନି ଠାକୁର ଚନ୍ଦ୍ରଭାଗା ପୁଷ୍କରିଣୀ ନିକଟରେ ଥିବା ତୀର୍ଥ ମଣ୍ଡପରେ ପହଞ୍ଚିବା ପରେ ସେବାୟତଙ୍କ ଦ୍ୱାରା ସ୍ୱତନ୍ତ୍ର ପୂଜା ପରେ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା । ଧାର୍ମିକ, ଆଧ୍ୟାତ୍ମିକ ଓ ପାରମ୍ପରିକ ବିଶ୍ୱାସକୁ ନେଇ ଆଜି ସୂର୍ଯ୍ୟ ଦେବଙ୍କ ଜନ୍ମତିଥି ହେତୁ ଅର୍କକ୍ଷେତ୍ରରେ ଚନ୍ଦ୍ରଭାଗାରେ ବୁଡ଼ ପକାଇ କୃଷ୍ଣ ପୁତ୍ର ଶାମ୍ବ ଦୁରାରୋଗରୁ ମୁକ୍ତି ପାଇଥିଲେ । ଏଣୁ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ବୁଡରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ପରିଲକ୍ଷିତ ହୋଇଛି ।
ସୁରୁଖୁରରେ ବୁଡ଼ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ କର୍ମୀ ମୁତୟନ ହୋଇଥିଲେ । ସବୁବର୍ଷ ପରି ଚଳିତବର୍ଷ ମଧ୍ୟ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଥିଲା । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଗତକାଲିଠାରୁ ଆସି ବୁଡ଼ ପକାଇବାକୁ ଅର୍କକ୍ଷେତ୍ରରେ ଡେରା ପକାଇଥିବା ଦେଖିବାକୁ ମିଳିଥିଲା ।

