ମାଟ୍ରିମୋନି ସାଇଟରେ ଫସିଗଲେ ମହିଳା ଓଏଏସ୍, ମିଛ ପରିଚୟ ଦେଇ ବିବାହ କରିଥିବା ଅଭିଯୋଗ

ଭୁବନେଶ୍ୱର: ମାଟ୍ରିମୋନି ସାଇଟରେ ଫସିଗଲେ ମହିଳା ଓଏଏସ୍ । ସ୍ବାମୀ ବାଛିଲେ ନାଲକୋ ଅଫିସର। ଭଲ ଘର, ଭଲ ପରିବାର ଓ ସୁନ୍ଦର ସ୍ବାମୀ । ହେଲେ ବିବାହ ପରେ ମିଳିଲା ଧୋକା । ବିବାହ ସାଇଟରେ ଜୟପୁର ସହରର ଲିଙ୍ଗରାଜ ନଗରର ବାସିନ୍ଦା ରାଧାନାଥ ରଥଙ୍କ ପୁଅ ହରିହରଙ୍କୁ ପସନ୍ଦ କରିଥିଲେ । ପୁଅ ନାଲକୋ କମ୍ପାନୀର ଡେପୁଟି ମ୍ୟାନେଜର ଏବଂ ଝିଅ ଓଏଏସ୍ ଅଫିସର। ଉଭୟଙ୍କ ପସନ୍ଦ ପରେ ଫେବ୍ରୁଆରୀ ୯ ତାରିଖରେ ବେଶ ଧୁମଧାମରେ ବିବାହ ବି ହେଲା।
ହେଲେ ବିବାହର କିଛିଦିନ ପରେ ହରିହରଙ୍କ ଚାକିରିକୁ ନେଇ ସନ୍ଦେହ କରିଥିଲେ ମହିଳା ଓଏଏସ୍ । ଏଥିପାଇଁ ସେ ସ୍ବାମୀଙ୍କୁ ଚାକିରି ପ୍ରମାଣପତ୍ର ମାଗିଥିଲେ । ଦିଲ୍ଲୀରେ କେଉଁଠି ରହୁଛନ୍ତି ତାର ଠିକଣା ବି ମାଗିଥିଲେ । ତେବେ କୌଣସି ନା କୌଣସି ବାହାନା କରି କଥାକୁ ଟାଳିବାକୁ ଲାଗିଥିଲେ ହରିହର। ଶେଷରେ ଏକଥା ନିଜ ଶାଶୁ ଓ ଶ୍ବଶୂରକୁ ଜଣାଇଥିଲେ ସେ। ତାଙ୍କ ନିକଟରୁ ମଧ୍ୟ କୌଣସି ସଠିକ ଉତ୍ତର ନ ମିଳିବାରୁ ଶେଷରେ ଜୟପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମହିଳା ଓଏଏସ୍ ଅଧିକାରୀ।