ଛାତ୍ରୀ ହୋଇ ୨ମାସ ମେଡିକାଲ କଲେଜରେ ରହିଲେ..ରାଗିଂ ଗ୍ୟାଙ୍ଗର ପର୍ଦ୍ଦାଫାସ କଲେ…ପଢ଼ନ୍ତୁ ସମ୍ପୂର୍ଣ୍ଣ ଘଟଣା

ଇନ୍ଦୋର; ଜଣେ ମହିଳା ପୋଲିସ କର୍ମଚାରୀ ଛାତ୍ରୀ ହୋଇ ପହଞ୍ଚିଥିଲେ ମେଡିକାଲ କଲେଜ । ଏଠାରେ ସେ ଅନ୍ୟ ଛାତ୍ରଛାତ୍ରୀମାନଙ୍କ ସହ ଏମିତି ମିଶିଯାଇଥିଲେ ଯେ କାହାକୁ ସନ୍ଦେହ ହୋଇନଥିଲା ଯେ ସେ ଜଣେ ପୋଲିସ କର୍ମୀ ବୋଲି । ଛାତ୍ରୀ ହୋଇ ରହୁଥିବା ଏହି ମହିଳା ପୋଲିସ ଜଣଙ୍କ ଅଣ୍ଡରକଭର ଏଜେଣ୍ଟ ଭଳି କାମ କରିଥିଲେ ଏବଂ ପୁଣି ମଧ୍ୟପ୍ରଦେଶର ଏକ ଚର୍ଚ୍ଚିତ କଲେଜରେ ରାଗିଂ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛନ୍ତି । ମାମଲାଟି ଇନ୍ଦୋରର ଚର୍ଚ୍ଚିତ ମହାତ୍ମା ଗାନ୍ଧି ମେମୋରିଆଲ ମେଡିକାଲ କଲେଜର ଅଟେ ।

ସଂଯୋଗିତାଗଞ୍ଜ ପୋଲିସ ଥାନାର ଇନଚାର୍ଜ ତହଜିବ କାଜି ଏକ ନ୍ୟୁଜ ଏଜେନ୍ସିକୁ କହିଛନ୍ତି ଯେ, ଜଣେ ଛାତ୍ର ୟୁଜିସିକୁ ରାଗିଂର ଅଭିଯୋଗ କରିଥିଲେ । ଏହାପରେ କଲେଜ ପ୍ରଶାସନ ୨୪ ଜୁଲାଇରେ ଅଜ୍ଞାତ ଛାତ୍ରମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିଥିଲା । ଛାତ୍ର ଜଣଙ୍କ ୟୁଜିସି ହେଲ୍ପଲାଇନରେ ରାଗିଂ ସହ ସମ୍ବନ୍ଧିତ ସମ୍ପୂର୍ଣ୍ଣ ସୂଚନା ଦେଇଥିଲେ । କିନ୍ତୁ ଅଭିଯୋଗକାରୀ ନିଜ ନାଁ ଏବଂ ଅଭିଯୁକ୍ତ ଛାତ୍ରମାନଙ୍କ ନାଁ କହିନଥିଲେ । ଏହାପରେ ଥାନା ଅଧିକାରୀ ତହଜିବ କାଜି ମହିଳା କନେଷ୍ଟବଳ ଶାଲିନୀ ଚୌହ୍ୱାନଙ୍କୁ ନର୍ସିଂ କଲେଜର ପ୍ରଥମ ବର୍ଷ ଷ୍ଟୁଡେଣ୍ଟ ବନାଇ ମେଡିକାଲ କଲେଜ ପଠାଇଥିଲେ ।

ଅଣ୍ଡରକଭର କପ୍ ଶାଲିନୀ ଚୌହ୍ୱାନ ନିଖୁଣତାର ସହ ସମ୍ପୂର୍ଣ୍ଣ ଅପରେସନକୁ ରୂପ ଦେଇଥିଲେ । ଅନେକ ଥର କଲେଜର ଷ୍ଟୁଡେଣ୍ଟମାନେ ମହିଳା କନେଷ୍ଟବଳ ଶାଲିନୀ ଚୌହ୍ୱାନଙ୍କ ଉପରେ ସନ୍ଦେହ କରିଥିଲେ କିନ୍ତୁ କନେଷ୍ଟବଳ ଶାଲିନୀ ଚତୁରତାର ସହ ସେମାନଙ୍କ ଭରସା ଜିତିନେଇଥିଲେ ଏବଂ ସେମାନଙ୍କୁ ଏହି କଥା ଉପରେ ବିଶ୍ୱାସ କରିବା ଉପରେ ବାଧ୍ୟ କରିଦେଇଥିଲେ ଯେ ସେ ନର୍ସିଂ ମେଡିକାଲ ଛାତ୍ରୀ ଅଟନ୍ତି । ଏହାପରେ ଜୁନିୟର ଛାତ୍ରଛାତ୍ରୀମାନେ ତାଙ୍କ ଉପରେ ଭରସା କରିଥିଲେ ଏବଂ ଏହାପରେ ରାଗିଂରେ ସାମିଲ ସିନିୟର ଷ୍ଟୁଡେଣ୍ଟମାନଙ୍କ ନାଁ କହିଥିଲେ ଏବଂ ହ୍ୱାଟ୍ସଆପ୍ ଚାଟ୍ ମଧ୍ୟ ଦେଇଥିଲେ ।

ପ୍ରତ୍ୟେକ ଦିନ ଅଣ୍ଡରକଭର ଏଜେଣ୍ଟ, ଥାନା ଅଧିକାରୀ କାଜି ଏବଂ ପୋଲିସ କମିଶନର ହରିନାରାୟଣ ଚାରି ମିଶ୍ରଙ୍କ ବୈଠକ ହେଉଥିଲା । ବୈଠକରେ ଆଗାମୀ ଦିନର ରଣନୀତି ନିର୍ଦ୍ଧାରିତ ହେଉଥିଲା । ଶେଷରେ ୨ ମାସ ପରେ ପୋଲିସକୁ ବଡ଼ ସଫଳତା ମିଳିଥିଲା । ଶାଲିନୀ ସମସ୍ତ ତଥ୍ୟ ଓ ପ୍ରମାଣ ସଂଗ୍ରହ କରିବା ପରେ ଘଟଣାର ପର୍ଦ୍ଦାଫାସ ହୋଇଥିଲା । ତେବେ କନେଷ୍ଟବଳ ଶାଲିନୀଙ୍କ ବ୍ୟତୀତ ଆଉ କିଛି ପୋଲିସ କର୍ମଚାରୀ ମଧ୍ୟ କଲେଜରେ ଅଣ୍ଡରକଭର ଏଜେଣ୍ଟ ଭାବେ କାର୍ଯ୍ୟ କରିଥିଲେ । ଶାଲିନୀ ରାଗିଂ ସହ ସମ୍ବନ୍ଧିତ ସୂଚନା ଏକତ୍ରିତ କରିବାରେ ଲାଗିଥିଲେ ।

ଶାଲିନୀ ଅନ୍ୟ ଛାତ୍ରୀମାନଙ୍କ ସହ ବହୁତ ଆରାମରେ ରହୁଥିଲେ । କେହି ବି ଜାଣିପାରିନଥିଲେ ଯେ ସେ ଜଣେ ପୋଲିସ କନେଷ୍ଟବଳ ବୋଲି । ଅଣ୍ଡରକଭର ରହି ଏହି ମହିଳା ପୋଲିସକର୍ମୀ ଏହି ମାମଲା ସହ ସମ୍ବନ୍ଧିତ ସମସ୍ତ ଘଟଣାର ସୂଚନା ଏକତ୍ରିତ କରିବାରେ ସଫଳ ହୋଇଥିଲେ । ଜଣେ ଅନ୍ୟ ମହିଳା ପୋଲିସ କର୍ମୀ ନର୍ସର ଭୂମିକା ନିର୍ବାହ କରିଥିବା ବେଳେ ମାମଲାର ସମାଧାନ ପାଇଁ ଅନ୍ୟ ଦୁଇ କନେଷ୍ଟବଳଙ୍କୁ କଲେଜର କ୍ୟାଣ୍ଟିନକୁ ପଠାଯାଇଥିଲା ।

ସମ୍ପୂର୍ଣ୍ଣ ଯାଞ୍ଚରେ ନା କେବଳ ଅପରାଧର ପର୍ଦ୍ଦାଫାସ କରାଯାଇଥିଲା ବରଂ ଯାଞ୍ଚ ପରେ ପୋଲିସ ସେହି ୧୧ ଛାତ୍ରଙ୍କ ଚିହ୍ନଟ ମଧ୍ୟ କରିନେଇଛି ଯେଉଁମାନେ ଅପରାଧରେ ସାମିଲ ଥିଲେ । ଯାଞ୍ଚରେ ଜଣାଯାଇଛି ଯେ ଅଭିଯୁକ୍ତ ସିନିୟର ଷ୍ଟୁଡେଣ୍ଟମାନେ ଜୁନିୟର ଷ୍ଟୁଡେଣ୍ଟମାନଙ୍କୁ ରାଗିଂ କରିଛନ୍ତି । ଏହି ଛାତ୍ରୀମାନଙ୍କ ଦ୍ୱାରା ଅଶ୍ଲୀଳ କାର୍ଯ୍ୟ କରାଇଥିଲେ । ଏହି ମାମଲାରେ ଏବେ ସିଆରପିସିର ଧାରା ଆଧାରରେ ଛାତ୍ରମାନଙ୍କୁ ନୋଟିସ୍ ପଠାଇଯାଇଛି ଏବଂ କୁହାଯାଇଛି ଯେ ସେମାନେ ତଦନ୍ତରେ ସହଯୋଗ କରନ୍ତୁ ।

ଛାତ୍ରଙ୍କୁ ଏହା ମଧ୍ୟ କୁହାଯାଇଛି ଯେ ଯେତବେଳେ କୋର୍ଟରେ ଚାର୍ଜସିଟ୍ ଦାଖଲ ହେବ ତେବେ ସେମାନେ ଅଦାଲତରେ ହାଜର ରହିବେ । ୧୧ ଛାତ୍ରଙ୍କ ସୂଚୀ ମିଳିବା ପରେ କଲେଜ କର୍ତ୍ତୃପକ୍ଷ ଏମାନଙ୍କୁ ତିନି ମାସ ପାଇଁ କଲେଜରୁ ନିଲମ୍ବିତ କରିଦେଇଛି । କୁହାଯାଉଛି ଯେ, ଶାଲିନୀ ପ୍ରାୟ ୨ ମାସ ପର୍ଯ୍ୟନ୍ତ ଏମଜିଏସ କଲେଜରେ ରହିଥିଲେ । ଏହି ସମୟରେ ସେ ଛାତ୍ରଛାତ୍ରୀମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ, କ୍ୟାଣ୍ଟିନରେ ସମୟ ବିତାଇଥିଲେ ଏବଂ ସିନିୟର ଷ୍ଟୁଡେଣ୍ଟ ମାନଙ୍କ ଉପରେ ନଜର ରଖିଥିଲେ ।

କଲେଜରେ ସିନିୟର ଛାତ୍ରମାନଙ୍କ ବ୍ୟବହାର ବହୁତ ଆକ୍ରାମତ୍ମକ ଥିଲା । ନିଜେ ଶାଲିନୀ ସିନିୟରମାନଙ୍କ ଖରାପ ବ୍ୟବହାର ଦେଖିଥିବା କହିଥିଲେ । ସମସ୍ତ ପ୍ରକାରର ପ୍ରମାଣ ଯୋଗାଡ଼ କରିବା ପରେ ଏହି ମହିଳା ପୋଲିସକର୍ମଚାରୀ ଜଣଙ୍କ ରିପୋର୍ଟ ବରିଷ୍ଠ ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ । ଏହାପରେ ମେଡିକାଲ କଲେଜରେ ଚାଲିଥିବା ରାଗିଂ ଖେଳର ପର୍ଦ୍ଦାଫାସ ହୋଇପାରିଛି ।