ଥଣ୍ଡା ପାନୀୟରେ ନିଶା ଦେଇ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଦୁଷ୍କର୍ମ

ଭୁବନେଶ୍ୱର: ରାଜଧାନୀରେ ମହିଳା ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଦୁଷ୍କର୍ମ ଅଭିଯୋଗ । ବ୍ଲାକମେଲ୍ କରି ୨ ଲକ୍ଷ ନେଇସାରିଲାଣି ଅଭିଯୁକ୍ତ । ରାୟପୁର ଡିଆଇଜିଙ୍କ ଚିଠି ପରେ ଖଣ୍ଡଗିରି ଥାନାରେ ରୁଜୁ ହୋଇଛି ମାମଲା । ଜାଗମରାରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ମହିଳା ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଦୁଷ୍କର୍ମ କରାଯାଇଥିବା ଛତିଶଗଡ଼ କବିର ନଗର ଥାନାରେ ଅଭିଯୋଗ କରିଥିଲେ ମହିଳା । ରାୟପୁର ଡିଆଇଜି ଜିରୋ ଏଫଆଇଆର ଜରିଆରେ କମିଶନରେଟ ପୋଲିସକୁ ଚିଠି ଲେଖିବା ପରେ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇଛି ।

ଅଭିଯୋଗ ଅନୁସାରେ, ରାୟପୁର କବିର ନଗରର ୨୪ ବର୍ଷୀୟ ଯୁବତୀ ଗତ ବର୍ଷ ମାର୍ଚ୍ଚ ମାସରେ ଜାଗମରାରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାମ ଆରମ୍ଭ କରିଥିଲେ । ପୂର୍ବରୁ ସେଠାରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଉମେଶ ସୁଧାକରଙ୍କ ସହିତ ଯୁବତୀଙ୍କର ପରିଚୟ ହୋଇଥିଲା । ଗତବର୍ଷ ସେପ୍ଟେମ୍ବର ମାସରେ ଉମେଶ ଯୁବତୀଙ୍କୁ ଜାଗମରାଠାରେ ଥିବା ହୋଟେଲକୁ ଡକାଇଥିଲା । ମହିଳା ଜଣକ ହୋଟେଲରେ ପହଞ୍ଚିବା ପରେ ଉମେଶ ତାଙ୍କୁ ଥଣ୍ଡା ପାନୀୟରେ ନିଶା ମିଶାଇ ପିଇବାକୁ ଦେଇଥିଲା । ମହିଳା ଜଣକ ଚେତା ହରାଇବା ପରେ ଉମେଶ ତାଙ୍କ ସହିତ ଦୁଷ୍କର୍ମ କରିବା ସହିତ ଅଶ୍ଲୀଳ ଭିଡିଓ ସୁଟିଂ କରିଥିଲା ।

ବାସ୍‌ ଏହାପରେ ବାରମ୍ବାର ବ୍ଲାକମେଲ୍ କରି ଦୁଷ୍କର୍ମ ସହ ଟଙ୍କା ଦାବି କରୁଥିଲା ଉମେଶ । ଲୋକ ଲଜ୍ଜା ଓ ଘରେ ଜାଣିଯିବା ଭୟରେ ୨ ଲକ୍ଷ ଟଙ୍କା ଉମେଶକୁ ଦେଇଥିଲେ ମହିଳା । ତଥାପି ଉମେଶ ମହିଳାଙ୍କ ଅଶ୍ଳୀଳ ଭିଡିଓ ଦେଖାଇ ବ୍ଲାକମେଲ୍ କରୁଥିଲା । ଶେଷରେ ମହିଳା ଆଇନର ଦ୍ବାରସ୍ଥ ହେବାରୁ, ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା ଉମେଶ । ପରିବାର ଲୋକଙ୍କ ପରାମର୍ଶ କ୍ରମେ ଗତ ମଙ୍ଗଳବାର ଦିନ ଯୁବତୀ ଜଣକ କବିର ନଗର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଜିରୋ ଏଫଆଇଆର ରୁଜୁ କରି ରାୟପୁର ଡିଆଇଜିଙ୍କୁ ଜଣାଇଥିଲେ । ରାୟପୁର ଡିଆଇଜି ମାମଲା ସମ୍ବନ୍ଧୀୟ ସମସ୍ତ କାଗଜପତ୍ର କମିଶନରେଟ ପୋଲିସକୁ ପଠାଇବା ସହିତ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ରାୟପୁର ଡିଆଇଜିଙ୍କ ନିର୍ଦ୍ଦେଶ କ୍ରମେ ଖଣ୍ଡଗିରି ଥାନାରେ ଉମେଶ ନାଁରେ ମାମଲା ରୁଜୁ ହୋଇଛି । ଖୁବଶୀଘ୍ର ଅଭିଯୁକ୍ତକୁ ଧରିବା ପାଇଁ ଛତିଶଗଡ଼ ଯିବ ଖଣ୍ଡଗିରି ପୋଲିସ  ।