ରାୟଗଡ଼ାରେ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ୧୮୨ ପଞ୍ଚାୟତକୁ ଗଡ଼ିବ ୫୨ ବସ୍

ରାୟଗଡ଼ା: ରାୟଗଡ଼ାରେ ଗଡ଼ିଲା ଲକ୍ଷ୍ମୀ ବସ୍ । ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ସମସ୍ତ ୧୮୨ଟି ପଞ୍ଚାୟତକୁ ୫୨ଟି ବସ୍ ଚଳାଚଳ କରିବ । ଏଥିପାଇଁ କରାଯାଇଛି ୩୦୦ଟି ବସ୍ ଷ୍ଟପେଜ । ରାୟଗଡ଼ାରେ ଏହାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଲକ୍ଷ୍ମୀ ଘରେ ଘରେ ଖୁସି ଓ ଆନନ୍ଦ ଆଣିବ। ଏହା ଗ୍ରାମାଞ୍ଚଳ ପରିବହନ ବ୍ୟବସ୍ଥାରେ ରୂପାନ୍ତର ଆଣିବ । ଗାଁ ଲୋକଙ୍କ ଜୀବନରେ ଗତି ଓ ପ୍ରଗତି ଆଣିବ ।’

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜିଲ୍ଲାଗସ୍ତରୁ ଲୋକଙ୍କ ଯୋଗାଯୋଗର ଅସୁବିଧା ସମ୍ପର୍କରେ ଜାଣିବା ପରେ ହିଁ ଆରମ୍ଭ ହୋଇଥିଲା ଲକ୍ଷ୍ମୀ ଯୋଜନା । ଲକ୍ଷ୍ମୀ ବସ୍ ଗାଁକୁ ଗାଁ ସହିତ ଯୋଡିବ । ସାମାଜିକ ସମ୍ପର୍କ ସୁଦୃଢ କରିବା ସହିତ ଗ୍ରାମାଞ୍ଚଳର ଅର୍ଥନୀତିକୁ ମଧ୍ୟ ମଜବୁତ କରିବ । ଲକ୍ଷ୍ମୀ ଯୋଗାଯୋଗ ବିକାଶର ଇଞ୍ଜିନ । ପିଲାଙ୍କୁ ସ୍କୁଲ ଓ କଲେଜ ସହିତ ଚାଷୀଙ୍କୁ ମାର୍କେଟ ସହିତ ଯୋଡିବ । ଏହାସହ ରୋଗୀକୁ ହସ୍ପିଟାଲ ନେବ ଲକ୍ଷ୍ମୀ ବସ୍ । ମାଆଙ୍କ ପାଇଁ ଏହା ବିଭିନ୍ନ କାମରେ ମୁଖ୍ୟ ସାରଥି ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସ୍ଥାନୀୟ ପରିବହନ ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ପର୍ଯ୍ୟଟନ ତଥା ଆଞ୍ଚଳିକ ଆର୍ଥିକ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ମୀ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ । ସାରା ରାଜ୍ୟରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କାର୍ଯ୍ୟକ୍ରମରେ ୯୦ କୋଟିରୁ ଅଧିକ ଟଙ୍କା ବିନିଯୋଗରେ ୨୬୦୦ରୁ ଅଧିକ ପ୍ରକଳ୍ପ କରାଯାଉଛି । ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର ଓ ଡିଜିଟାଲ ଭିତ୍ତିଭୂମିର ଉନ୍ନତିକରଣ କରାଯାଉଛି । ପଞ୍ଚାୟତରେ ମୋ ସରକାରର ବିକାଶ କାର୍ଯ୍ୟକ୍ରମ ମୁଖ୍ୟ ଫୋକସ୍ । ସବୁ ପଞ୍ଚାୟତରେ ରୂପାନ୍ତର ଆଣି ସାରା ଓଡିଶାର ରୂପାନ୍ତର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।