ଲକ୍ଷ୍ମୀ ବସରୁ ଲୋଗ ହଟାଇବାକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ

1 min read

କୋଣାର୍କ: ସରକାର ପରିବର୍ତ୍ତନ ହେଲେ ଯୋଜନାର ରୁପାନ୍ତରିତ ହୋଇଥାଏ । ହେଲେ ନୂଆ ସରକାର ଗଠନ ହେବା ପୂର୍ବରୁ ଲୋକାଭିମୁଖି ଯୋଜନାକୁ ନେଇ କିଛି ହଟଚମଟ କରାଯାଏ ତେବେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବା ସ୍ବାଭାବିକ । ଗାଁ ଗହଳିର ଲୋକଙ୍କ ଗମନାଗମନ ସୁବିଧା ପାଇଁ ଲକ୍ଷ୍ମୀ ବସ୍ ଚାଲୁଛି । ହେଲେ ଏଥିରୁ ଲୋଗ ଚିରି ଦିଆଯାଇଥିବା ଦେଖିବାକୁ ମିଳିଛି । ଯାହାକୁ ମାଲକାନଗିରିରୁ ଆସିକା ଓ କୋଣାର୍କ ସବୁଠି ଦେଖିବାକୁ ମିଳିଛି ତୀବ୍ର ପ୍ରତିକ୍ରିୟା ।

ସୂଚନାଯୋଗ୍ୟ, ୨୦୨୩ ଅକ୍ଟୋବର ୧୨ ତାରିଖରେ ମାଲକାନଗିରିରୁ ସମଗ୍ର ରାଜ୍ୟ ପାଇଁ ଆରମ୍ଭ ହୋଇଥିଲା ଳକ୍ଷ୍ମୀ ବସ୍ ଯୋଜନା । ନିଜେ ନବୀନ ପଟ୍ଟାନାୟକ ଲକ୍ଷ୍ମୀ ବସରେ ବସି ମାଲକାନଗିରି ଷ୍ଟାଡିୟମରୁ ଏମଭି-୩ ପର୍ଯ୍ୟନ୍ତ ଯାତ୍ରା କରିଥିଲେ । ବସରେ ବସିବା ପରେ ଟଙ୍କା ଦେଇ ପ୍ରଥମ ଟିକେଟ ମଧ୍ୟ ନେଇଥିଲେ ନବୀନ । ଆଉ ଏହା ପରେ ଉପାନ୍ତ ମାଲକାନଗିରିରୁ ଆରମ୍ଭ କରି ଉପକୁଳ ପର୍ଯ୍ୟନ୍ତ ଗମାନଗମନ କ୍ଷେତ୍ରରେ ଲକ୍ଷ୍ମୀ ବସ୍ ଏକ ବିପ୍ଳବ ସୃଷ୍ଟି କରିଥିଲା ।

ବସଟି ଓଡ଼ିଶା ରାଜ୍ୟ ପରିବହନ ନିଗମ ପକ୍ଷରୁ ପରିଚାଳିତ ହେଉଥିବା ବେଳେ ବସର ଦୁଇ ପାଖରେ ଲକ୍ଷ୍ମୀ ବସ ଲେଖା ସହ ଦୁଇଟି ନର୍ତ୍ତକୀ ଶଙ୍ଖ ଫୁଙ୍କୁଥିବା ଷ୍ଟିକର ଲାଗିଥିଲା । ହେଲେ ଗୁରୁବାର ହଠାତ ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳରେ ବିଭିନ୍ନ ଗ୍ରାମକୁ ଚାଲିଥିବା ଲକ୍ଷ୍ମୀ ବସରେ ଆଉ ଲକ୍ଷ୍ମୀ ଷ୍ଟିକର ଲୋଗ କି ନର୍ତ୍ତକୀ ଷ୍ଟିକର ଉଭାନ ହୋଇଯାଇଛି । ଏବେ ସେହି ସ୍ଥାନଟି ସମ୍ପୂର୍ଣ୍ଣ ଧଳା ରହିଛି ।

ଏହି ଷ୍ଟିକର କିଏ କାଢ଼ିଲା ଓ କାହା ନିର୍ଦ୍ଦେଶରେ କଢ଼ାଗଲା କାହା ପାଖରେ ଖବର ନାହିଁ । ଲୋକମାନେ ସୁଲଭ ମୂଲ୍ୟରେ ଲକ୍ଷ୍ମୀ ବସ୍ ମାଧ୍ୟମରେ ଗମନାଗମନ ସୁବିଧା ପାଉଥିଲେ । ଏବେ ଆଗାମୀ ଦିନରେ ଲକ୍ଷ୍ମୀ ବସର ଭାଗ୍ୟ କ’ଣ ହେବ ତାକୁ ନେଇ ଚିନ୍ତା ପଡିଛନ୍ତି ଯାତ୍ରୀ ।

ଲୋକ ସରକାରଙ୍କୁ ଚୟନ କରିଥାନ୍ତି ଜନମଙ୍ଗଳ କାର୍ଯ୍ୟ କରିବା ପାଇଁ । ରାଜ୍ୟର ପରିବର୍ତ୍ତିତ ପରିସ୍ଥିତିରେ ନୂଆ ସରକାର ଗଠନ ହୋଇ କିଛି ନୂଆ ଯୋଜନା ଆଣିବା ପର୍ଯ୍ୟନ୍ତ ପ୍ରଶାସନ ଅନ୍ତତଃ ଏ ଦିଗରେ ଚିନ୍ତା କରିବା କଥା । ଯେଉଁ ଯୋଜନା ଲୋକଙ୍କୁ ମୌଳିକ ସୁବିଧା ପ୍ରଦାନ କରିଥାଏ, ସେଗୁଡିକୁ ବନ୍ଦ କିମ୍ବା ପରିବର୍ତ୍ତନ କରିବା ପୂର୍ବରୁ ହିତାଧିକାରୀଙ୍କ କଥା ଚିନ୍ତା କରିବା ଆବଶ୍ଯକ ହୋଇପଡିଛି ।