ଷ୍ଟଡି ଟୁରରେ LBSNAAର IAS ପ୍ରୋବେସନର, ମୁଖ୍ୟମନ୍ତ୍ରୀଙ୍କୁ କଲେ ସାକ୍ଷାତ

1 min read

ଭୁବନେଶ୍ୱର: ଓଡ଼ିଶାକୁ ଷ୍ଟଡି ଟୁରରେ ଆସିଥିବା ୧୮୧ ଆଇଏଏସ ପ୍ରୋବେସନର ଓ ରୟାଲ ଭୁଟାନ ସିଭିଲ ସର୍ଭିସ ପ୍ରୋବେସନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସ୍ବାଗତ କରିବା ସହ କାର୍ଯ୍ୟରେ ଉତ୍କର୍ଷତା ହାସଲ କରିବା ପାଇଁ ପରାମର୍ଶ ଦେଇଛନ୍ତି । ସଗୌରବେ ଦେଶର ସେବା କରିବା ପାଇଁ ପ୍ରୋବେସନରଙ୍କୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯୁବ ଅଧିକାରୀଙ୍କଠାରୁ ଦେଶ ଅନେକ କିଛି ଆଶା କରୁଛି ବୋଲି ନବୀନ ପଟ୍ଟନାୟକ କହିଛନ୍ତି । ଏହି ଅବସରରେ 5-T ରୂପାନ୍ତରଣ ମଡେଲ୍ ଉପରେ ଫୋକସ କରିଥିଲେ ମୁଖ୍ୟମନ୍ତ୍ରୀ । ସେ କହିଥିଲେ ଯେ, ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ମୁଣ୍ଡ ଟେକୁଛି ।

ଗ୍ରାମୀଣ ବିକାଶ, ଗୃହ ନିର୍ମାଣ, ଦକ୍ଷତା ବିକାଶ, କ୍ରୀଡା, ଶିଳ୍ପ ବିକାଶ, ଖଣି, ପର୍ଯ୍ୟଟନ, ଐତିହ୍ୟ ସଂରକ୍ଷଣ, ସଡ଼କ ବିକାଶ ଓ ଅନ୍ୟ କ୍ଷେତ୍ରରେ ମଧ୍ୟ ରୂପାନ୍ତରଣ ପଦକ୍ଷେପ ନିଆଯାଇଛି । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡିଶା ସାରା ବିଶ୍ବରେ ରୋଲ୍ ମଡେଲ ପାଲଟିଛି । ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପରୁ ଆଇଏଏସ ପ୍ରୋବେସନରମାନେ କିଛି ଶିକ୍ଷା ଲାଭ କରିପାରିବେ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଷ୍ଟଡି ଟୁରରେ ଆଇଏଏସ ପ୍ରୋବେସନରମାନେ ଢ଼େଙ୍କାନାଳ, ଅନୁଗୁଳ, ଗଞ୍ଜାମ, ଜଗତସିଂହପୁର, କେଉଁଝର ଓ ବାଲେଶ୍ୱର ଆଦି ୬ଟି ଜିଲ୍ଲା ପରିଦର୍ଶନ କରିବେ । ଏହି ସବୁ ଜିଲ୍ଲା ପରିଦର୍ଶନ କରି ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମ ତଥା ରାଜ୍ୟ ଦ୍ୱାରା ଆରମ୍ଭ ହୋଇଥିବା ବିକାଶ ତଥା ଜୀବିକା ନିର୍ବାହ ଯୋଜନାରେ ସେମାନଙ୍କର ପ୍ରଥମ ଅଭିଜ୍ଞତା ରହିବ ।

ମୁସୋରୀ ସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନର ଭାରତ ଦର୍ଶନ କାର୍ଯ୍ୟକ୍ରମ ଅଧୀନରେ ଆଇଏଏସ ପ୍ରୋବେସନରମାନେ ଓଡ଼ିଶାକୁ ଷ୍ଟଡି ଟୁରରେ ଆସିଛନ୍ତି । ଏକାଡେମୀର ଯୁଗ୍ମ ନିର୍ଦ୍ଦେଶକ ରାଧିକା ରସ୍ତୋଗୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଟ୍ରାନସଫମେଟିଭ୍ ଗଭର୍ଣ୍ଣାନସ ଉପରେ ଏକ କ୍ଷୁଦ୍ର ଭିଡିଓ ପ୍ରଦର୍ଶନ କରାଯାଇଥିଲା । ଯୁବ ପ୍ରୋବେସନରମାନଙ୍କୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ମଧ୍ୟ ସମ୍ବୋଧନ କରିଥିଲେ ।