ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗର ପରିଶ୍ରମ ପୋର୍ଟାଲର ଲୋକାର୍ପଣ

1 min read
Labour & Employees State Insurance Department Odisha Included In 5T Mo Sarkar

ଭୁବନେଶ୍ୱର: ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସରକାରଙ୍କ 5T କାର୍ଯ୍ୟକ୍ରମର ଅଂଶ ସ୍ବରୂପ ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ବିଭାଗର ପରିଶ୍ରମ ପୋର୍ଟାଲର ଲୋକାର୍ପଣ କରିବା ସହିତ ୨୨ ପ୍ରକାର ଅନ୍‌ଲାଇନ ସେବାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି- 5T କାର୍ଯ୍ୟକ୍ରମର ମୁଖ୍ୟ ଆଧାର ହେଉଛି ବୈଷୟିକ କୌଶଳ । ଏହା ହିଁ ପରିବର୍ତ୍ତନର ମାର୍ଗକୁ ଅଧିକ ସୁଗମ କରିଥାଏ ।

 Labour & Employees State Insurance Department Odisha Included In 5T Mo Sarkar

ରାଜ୍ୟ ଶ୍ରମ ଓ ଇଏସ୍‌ଆଇ ବିଭାଗ ଦ୍ବାରା ଆରମ୍ଭ କରାଯାଇଥିବା ପରିଶ୍ରମ ପୋର୍ଟାଲ ଓ ୨୨ ପ୍ରକାର ସେବା ସ୍ବଚ୍ଛନ୍ଦ ବ୍ୟବସାୟ ପାଇଁ ବିଶେଷ ସହାୟକ ହେବ ଏବଂ ଏହା ସହିତ ରାଜ୍ୟରେ ସାମଗ୍ରିକ ଶିଳ୍ପ ଅଭିବୃଦ୍ଧିରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ପୋର୍ଟାଲରେ ଜନସାଧାରଣଙ୍କ ନିମନ୍ତେ  ବିଭିନ୍ନ ଶ୍ରମ ଆଇନ ସମ୍ପର୍କରେ ସୂଚନା ଉପଲବ୍ଧ । ଏହାଦ୍ବାରା ବିଭିନ୍ନ ଶିଳ୍ପସଂସ୍ଥାନ, ବ୍ୟବସାୟିକ ପ୍ରତିଷ୍ଠାନ, କ୍ଷୁଦ୍ର ଉଦ୍ୟୋଗୀ ଓ ଜନସାଧାରଣ ଉପକୃତ ହେବେ । ଆଗାମୀ ଦିନରେ ଏହି ପୋର୍ଟାଲରେ ୫୨ ପ୍ରକାର ସେବା ଉପଲବ୍ଧ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଶ୍ରମ ଓ କର୍ମଚାରୀ ବୀମା ବିଭାଗର ଅଧିକାରୀ ଓ କର୍ମଚାରୀମାନେ ସେବା ମନୋବୃତ୍ତି ସହିତ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସେବା ଗୁଡ଼ିକୁ ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ବିଭାଗୀୟ ମନ୍ତ୍ରୀ ସୁଶାନ୍ତ ସିଂ କହିଥିଲେ- ଆଜିର ଏହି ନୂତନ ପୋର୍ଟାଲର ଉନ୍ମୋଚନ ଓ ଅନ୍‌ଲାଇନ ସେବା ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପିତ ଶିଳ୍ପସମୃଦ୍ଧ ଓଡ଼ିଶା ଗଠନରେ ସହାୟକ ହେବ । ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନାକୁ କାର୍ଯ୍ୟକାରୀ କରିବା ଦିଗରେ ବିଭାଗ ନିଷ୍ଠାର ସହ କାର୍ଯ୍ୟ କରୁଛି ବୋଲି ସେ କହିଥିଲେ ।

 Labour & Employees State Insurance Department Odisha Included In 5T Mo Sarkar

ସୂଚନାଯୋଗ୍ୟ ଯେ, ବ୍ୟବସାୟିକ ପଦ୍ଧତିର ସରଳୀକରଣକୁ ପ୍ରୋତ୍ସାହିତ କରିବାପାଇଁ 5T କାର୍ଯ୍ୟକ୍ରମରେ ଏହି ନୂଚନ ପୋର୍ଟାଲକୁ ପ୍ରସ୍ତୁତ କରାଯାଇଛି । ଆଜିର ଏହି ୨୨ଟି ଅନ୍‌ଲାଇନ ସେବା ରାଜ୍ୟର ଉଦ୍ୟୋଗୀ ମାନଙ୍କୁ ଅନ୍‌ଲାଇନ ଜରିଆରେ ପଞ୍ଜୀକରଣ ପ୍ରମାଣପତ୍ର, ଲାଇସେନ୍ସ, କାରଖାନାର ନୂତନ ନକ୍ସାର ଅନୁମୋଦନ, ଲାଇସେନ୍ସର ବଦଳୀକରଣ, ବାଷ୍ପିତ୍ର ନିରୀକ୍ଷଣ ଓ ସାମୟିକ ନବୀକରଣ ଆଦି ଅନେକ ସୁବିଧା ମିଳିପାରିବ । ଏଥିସହିତ ପୋର୍ଟାଲରୁ ବିଭାଗ ଅଧିନସ୍ଥ ଶ୍ରମ ଆଇନ ସହିତ ଫର୍ମ, ବିଭିନ୍ନ ସେବା ନିମନ୍ତେ ଆବେଦନ ପ୍ରକ୍ରିୟା ଓ ପୈଠର ପରିମାଣ ସମ୍ପର୍କରେ ସୂଚନା ମିଳିପାରିବ ।

ଏହି କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ସଚିବ ଚିତ୍ରା ଅରମୁଗମ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଶ୍ରମ କମିଶନର ତିରୁମାଳା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ପୋର୍ଟାଲ ସମ୍ପର୍କରେ ଏକ ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି.କେ. ପାଣ୍ଡିଆନ, ଆଇ.ଟି ବିଭାଗର ସଚିବ ମନୋଜ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply