ବଡ ଆକ୍ରମଣ କରିବ ଋଷ୍‌, ଅଧୀନସ୍ଥ ନ ହେବାକୁ ବାର୍ତ୍ତା ଦେଲେ ଜେଲେନସ୍କି

1 min read

କିଭ୍‌: ଆସନ୍ତା 24ରେ ୟୁକ୍ରେନର ସ୍ବାଧୀନତା ଦିବସ । ଏହା ପୂର୍ବରୁ ୟୁକ୍ରେନ ଉପରେ ଋଷର ଆକ୍ରମଣ ଜୋରଦାର ହେବ ବୋଲି ସତର୍କ କରାଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଋଷର ମୁକାବିଲା କରିବାକୁ ଦେଶବାସୀ ପ୍ରସ୍ତୁତ ରହିବାକୁ ସେ ଆହ୍ବାନ ଦେଇଛନ୍ତି । କୌଣସି ଅବସ୍ଥାରେ ଋଷର ଅଧୀନସ୍ଥ ନ ହେବାକୁ ସେ ବାର୍ତ୍ତା ଦେଇଛନ୍ତି ।

କ୍ରିମିଆ ଓ ଅନ୍ୟାନ୍ୟ ଅଞ୍ଚଳରେ ଋଷର ଜୋରଦାର ଏୟାରଷ୍ଟ୍ରାଇକ ପରିପ୍ରେକ୍ଷୀରେ ୟୁକ୍ରେନରେ ସତର୍କତା ଜାରି କରାଯାଇଛି । ତେଣେ ୟୁକ୍ରେନର ପିଭଦେନୋକ୍ରେନସ୍କ ଆଣବିକ ପ୍ଲାଣ୍ଟ ନିକଟରେ ଏୟାରଷ୍ଟ୍ରାଇକ ହେବାରୁ 12 ନାଗରିକ ଆହତ ହୋଇଛନ୍ତି ।

ପୂର୍ବତନ ସୋଭିଏତ ଋଷ ଠାରୁ ୟୁକ୍ରେନ ଅଲଗା ହେବାର 31 ବର୍ଷ ପୂର୍ତ୍ତି ପାଳନ ପୂର୍ବରୁ ଜେଲେନସ୍କି କହିଛନ୍ତି- ଋଷର ଆକ୍ରମଣକୁ ଭ୍ରୂକ୍ଷେପ ନ କରି ଆସନ୍ତା 24 ତାରିଖରେ ସ୍ବାଧୀନତା ଦିବସ ପାଳନ କରାଯିବ । ତେଣେ ଉଭୟ ଜେପୋରିଜିୟା ଓ ପିଭଦେନୋକ୍ରେନସ୍କ ଆଣବିକ ପ୍ଲାଣ୍ଟରେ ଉଭୟ ବାହିନୀ ମଧ୍ୟରେ ସଂଘର୍ଷ ଜାରି ରହିଥିବାରୁ ଉଦବେଗ ପ୍ରକାଶ ପାଇଛି । ପୂର୍ବରୁ ଏହାକୁ ନେଇ ଉଦବେଗ ପ୍ରକାଶ କରିଥିଲେ ଜାତିସଂଘ ମହାସଚିବ । ସେପଟେ ଜେପୋରିଜିୟା ଇଲାକାରେ ଋଷୀୟ ସୈନ୍ୟମାନଙ୍କୁ ବିଷ ଦିଆଯାଉଛି ବୋଲି ଅଭିଯୋଗ କରିଛି ଋଷ ପ୍ରତିରକ୍ଷା ମନ୍ତ୍ରାଳୟ ।