ଋଷର ହାଇପରସୋନିକ ମିସାଇଲକୁ ଖସାଇଲା ୟୁକ୍ରେନ

1 min read

କିଭ୍: ଋଷ ଓ ୟୁକ୍ରେନ ମଧ୍ୟରେ ହାଇପରସୋନିକ ଓ୍ବାର। ବିଶ୍ବର ଅତି ଶକ୍ତିଶାଳୀ କୁହାଯାଉଥିବା ହାଇପରସୋନିକ କିନଝାଲ ମିସାଇଲକୁ ଖସାଇଛି ୟୁକ୍ରେନ। ଗତ ରାତିରେ ଋଷର ୬ଟି କିନଝାଲ ମିସାଇଲକୁ ଖସାଇଦେଇଛି ବୋଲି ୟୁକ୍ରେନ ଦାବି କରିଛି । ଶବ୍ଦଠାରୁ ୧୦ଗୁଣ ବେଗରେ ଗତି କରିପାରୁଥିବା ଏହି ମିସାଇଲକୁ ଅଟକାଇପାରିବେ ନାହିଁ ବୋଲି ଦାବି କରିଥିଲା ଋଷ ।

ପାଶ୍ଚାତ୍ୟ ରାଷ୍ଟ୍ର ପକ୍ଷରୁ ହାସଲ କରିଥିବା ଏୟାର ଡିଫେନ୍ସ ସିଷ୍ଟମ ଜରିଆରେ ଏହା ସମ୍ଭବ ହୋଇଛି ବୋଲି ୟୁକ୍ରେନ ଦାବି କରିଛି । ଗତକାଲିଠାରୁ ସମଗ୍ର ୟୁକ୍ରେନରେ ଏୟାର ରେଡ ସାଇରନ ବାଜି ଥିବାବେଳେ ଋଷର ଅତି ଶକ୍ତିଶାଳୀ ମିସାଇଲକୁ ଖସାଯିବା ଘଟଣା ଚକିତ କରିଛି । ଗତକାଲି ରାତିରେ ୟୁକ୍ରେନର ବିଭିନ୍ନ ଅଞ୍ଚଳକୁ ଋଷ ୧୮ଟି କ୍ଷେପଣାସ୍ତ୍ର ଜରିଆରେ ଟାର୍ଗେଟ କରିଥିଲା। ସେଥିରେ ରହିଥିଲା ୬ଟି କିନଝାଲ ମିସାଇଲ ଓ ୯ଟି କାଲିବର କ୍ରୁଜ ମିସାଇଲ ।

ସେପଟେ କିନଝାଲ ମିସାଇଲ ଜରିଆରେ ଆମେରିକା ନିର୍ମିତ ପାଟ୍ରିଅଟ ସରଫେସ-ଟୁ-ଏୟାର ମିସାଇଲ ଡିଫେନ୍ସ  ସିଷ୍ଟମକୁ ଧ୍ବଂସ କରାଯାଇଛି ବୋଲି କହିଛି ଋଷ । ଏହା ସହ ୟୁକ୍ରେନକୁ ବ୍ରିଟେନ ଯୋଗାଇଥିବା ୭ଟି ଲଙ୍ଗରେଞ୍ଜ ଷ୍ଟର୍ମ ସାଡୋ ମିସାଇଲକୁ ଧ୍ବଂସ କରାଯାଇଛି ବୋଲି ଋଷ ଦାବି କରିଛି । ଆଣବିକ କ୍ଷମତା ସମ୍ପନ୍ନ କିନଝାଲ ମିସାଇଲ ପ୍ରାୟ ୨ ହଜାର କିଲୋମିଟର ଦୂରକୁ ଟାର୍ଗେଟ କରିବାର କ୍ଷମତା ହାସଲ କରିଛି । ତେଣେ ଆଇସଲ୍ୟାଣ୍ଡରେ ୟୁରୋପୀୟ ରାଷ୍ଟ୍ରର ନେତାମାନେ ଏକ ବୈଠକରେ ଉପନୀତ ହୋଇ ୟୁକ୍ରେନକୁ ନିଜ ନିଜର ସମର୍ଥନ ଜ୍ଞାପନ କରିଛନ୍ତି ।