ଆରବ ସାଗରରେ ୧୨ ହଜାର କୋଟି ଟଙ୍କାର ଡ୍ରଗ୍ସ ଧରିଲା ଭାରତୀୟ ନୌସେନା

1 min read

ଅହମ୍ମଦାବାଦ: ଭାରତୀୟ ନୌସେନାର ଗୁଇନ୍ଦା ୟୁନିଟ୍ ଏବଂ ଏନସିବିର ମିଳିତ ଅଭିଯାନରେ ଆରବ ସାଗରରେ ବଡ଼ ମାତ୍ରାରେ ଡ୍ରଗ୍ସ ଜବତ କରାଯାଇଛି । ତେବେ ଏପର୍ଯ୍ୟନ୍ତ ସୁଦ୍ଧା ଏହା ସବୁଠୁ ବଡ଼ ଡ୍ରଗ୍ସ କନସାଇନମେଣ୍ଟ ବୋଲି କୁହାଯାଉଛି । ପ୍ରାୟ ୨୬ଶହ କିଲୋଗ୍ରାମର ଡ୍ରଗ୍ସ ଜବତ କରିଛି ନୌସେନା ଓ ଏନସିବି । ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ପ୍ରାୟ ୧୨ ହଜାର କୋଟି ଟଙ୍କା ହୋଇଥିବା କୁହାଯାଉଛି । ନୌସେନାର ଜଣେ ଅଧିକାରୀଙ୍କ ଅନୁଯାୟୀ, ଜବତ କରାଯାଇଥିବା ଡ୍ରଗ୍ସ ଇରାନରୁ ଭାରତ ଆସୁଥିଲା । ଗୁଜରାଟର ବନ୍ଦରରେ ପହଞ୍ଚିବା ପୂର୍ବରୁ ହିଁ ଏହି ଡ୍ରଗ୍ସକୁ ଜବତ କରିନିଆଯାଇଛି ।

୨୬୦୦ କେଜି ଡ୍ରଗ୍ସ ସହ ଧରାପଡ଼ିଥିବା ମାଫିଆକୁ କୋଚି ବନ୍ଦର ନିଆଯାଇଛି । ସେଠାରେ ଏନସିବି ଏବଂ ନୌସେନା ମାମଲାର ଆଗାମୀ ତଦନ୍ତ କରିବେ । ତେବେ ଅଧିକାରୀ ଯାଞ୍ଚରେ ଲାଗିଛନ୍ତି ଯେ ଏହି ରାକେଟରେ କିଏ କିଏ ସାମିଲ ଥିଲେ । ଭାରତୀୟ ନୌସେନାର ନାଭାଲ ଇଣ୍ଟେଲିଜେନ୍ସ ୟୁନିଟକୁ ଏନେଇ ଏକ ଇନପୁଟ୍ ମିଳିଥିଲା । ଏଥିରେ କୁହାଯାଇଥିଲା ଯେ ଆରବ ସାଗର ରାସ୍ତାରେ ଡ୍ରଗ୍ସ ମାଫିଆ ଭାରତର କୌଣସି ସମୁଦ୍ରୀ ଉପକୂଳରେ ଡ୍ରଗ୍ସ ଡେଲିଭର କରିବାକୁ ଚାହୁଁଛନ୍ତି ।

ଏହି ଇନପୁଟ ଆଧାରରେ ନୌସେନା ଏବଂ ଏନସିବି ଏକ ମିଳିତ ଅପରେସନକୁ ରୂପ ଦେଇଥିଲେ ଏବଂ କୋଟି କୋଟି ଟଙ୍କାର ଡ୍ରଗ୍ସ ଧରିଛନ୍ତି । ନୌସେନାର ଯାହଜ (ଆଇଏନଏସ୍ ଟିଇଜି ଏଫ୍-୪୫) ଏହି ଡ୍ରଗ୍ସ କନସାଇନମେଣ୍ଟ ଆରବ ସାଗର ଅଞ୍ଚଳରୁ ଧରିଛି । ସୂଚନାଥାଉକି ଏହା ପୂର୍ବରୁ ଭାରତୀୟ ନୌସେନାର ନାଭାଲ ଇଣ୍ଟେଲିଜେନ୍ସ ୟୁନିଟ୍ ଫେବ୍ରୁଆରୀ ୨୦୨୨ରେ ୨୦୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ କରିଥିଲା । ଗୁଜୁରାଟକୁ ଲାଗି ସମୁଦ୍ରୀ ଅଞ୍ଚଳରୁ ଅନେକଥର କୋଟି କୋଟି ଟଙ୍କାର ଡ୍ରଗ୍ସ ଧରାଯାଇଛି । କିନ୍ତୁ ସମୁଦ୍ରୀ ମାର୍ଗରେ ଭାରତ ଅଣାଯାଉଥିବା ଏହା ଏପର୍ଯ୍ୟନ୍ତ ସୁଦ୍ଧା ସବୁଠୁ ବଡ଼ ଡ୍ରଗ୍ସ କନସାଇନମେଣ୍ଟ ଅଟେ ।