ଗଞ୍ଜାମ ଗସ୍ତର ଦ୍ବିତୀୟ ଦିନ: କୁସୁମୀ ରିଂ ରୋଡ କାମ ସମୀକ୍ଷା କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

1 min read

ବ୍ରହ୍ମପୁର: 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଗଞ୍ଜାମ ଗସ୍ତର ଦ୍ବିତୀୟ ଦିନ । MKCG ମେଡିକାଲ କଲେଜରେ ବିକାଶ କାର୍ଯ୍ୟ ସମୀକ୍ଷା କରିବା ପରେ କୁସୁମୀରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । କୁସୁମୀରେ ପହଞ୍ଚିବା ପରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ 5T ଅଧ୍ୟକ୍ଷଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ସ୍ଥାନୀୟ ଲୋକଙ୍କ ସହ ମିଶିବା ବେଳେ 5T ଅଧ୍ୟକ୍ଷଙ୍କ ଉପରେ ପୁଷ୍ପ ବୃଷ୍ଟି କରିଥିଲେ ସ୍ଥାନୀୟ ଲୋକେ । ଏହାସହ ଉତ୍ତରୀୟ ଦେଇ 5T ଅଧ୍ୟକ୍ଷଙ୍କୁ ସ୍ବାଗତ କରାଯାଇଥିଲା । କୁସୁମୀ ରିଂ ରୋଡ ନକ୍ସା ଦେଖିବା ସହ କାମର ସମୀକ୍ଷା କରିଥିଲେ 5T ଅଧ୍ୟକ୍ଷ ।

ସ୍ଥାନୀୟ ଲୋକଙ୍କୁ ଉଦବୋଧନ ଦେଇ 5T ଅଧ୍ୟକ୍ଷ କହିଥିଲେ, ରିଂ ରୋଡ କାମ ଆରମ୍ଭ ହୋଇ ସାରିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ୨୨୫ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଦୁଇ ବର୍ଷ ଭିତରେ କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ହେଲେ ଦେଢ଼ ବର୍ଷ ଭିତରେ କାମ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି । ଏହି ରାସ୍ତା ହୋଇଯିବା ପରେ ଟ୍ରାଫିକ ସମସ୍ୟା ଦୂର ହେବା ସହ ଅଞ୍ଚଳର ଉନ୍ନତି ହେବ । ଲୋକଙ୍କୁ ରେଜଗାର ମିଳିବ । ରାସ୍ତା ପାଖରେ ଥିବା ସରକାରୀ ଜମି ଚିହ୍ନଟ କରି ଇଣ୍ଡଷ୍ଟ୍ରିଆଲ ପାର୍କ କରାଯିବ ।

ପ୍ରଥମେ ଏମକେସିଜି ମେଡିକାଲ କଲେଜରେ ପହଞ୍ଚି କଲେଜ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ଉଦବୋଧନ ଦେଇ କହିଥିଲେ- ଏମକେସିଜିକୁ ସଶକ୍ତ କରାଯିବ । ଏଠାରେ ସବୁ ସୁବିଧା ଉପଲବ୍ଧ ହେବ । ଆଉ ବାହାରକୁ ଯିବାକୁ ପଡ଼ିବନି । ଏମକେସିଜିରେ ସବୁ ବ୍ୟବସ୍ଥା କରାଯିବ । କ୍ୟାମ୍ପସରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ମେଡିକାଲ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀ ଆହ୍ବାନ ଦେଇଥିଲେ ।

ଗତକାଲି ପ୍ରଥମ ଦିନ ଗଞ୍ଜାମ ଗସ୍ତରେ ଯାଇ ହିଞ୍ଜିଳିକାଟୁ ଓ ଶେରଗଡ଼ରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।