ଆକ୍ସନ ମୋଡରେ କୁଲଡିହା ବନବିଭାଗ, ତିନି ଦିନରେ ଗିରଫ ହେଲେଣି ୮ ଜଣ ଶିକାରୀ

ବାଲେଶ୍ବର: ଶିକାରୀ ଗୁଳିରେ ୨ ସବୁଜ ବାହିନୀ ଗୁରୁତର ପରେ ଆକ୍ସନ ମୋଡରେ କୁଲଡିହା ବନବିଭାଗ। ଶିକାରୀଙ୍କୁ ସାବାଡ଼ କରିବାକୁ କଡା ଆଭିମୁଖ୍ୟ। ତିନି ଦିନରେ ଗିରଫ ହେଲେଣି ୮ ଜଣ ଶିକାରୀ। ତା ସହିତ ବେଆଇନ ବନ୍ଧୁକ ତିଆରି କାରଖାନା ମାଲିକଙ୍କୁ ଗିରଫ କରାଯାଇଛି। ଶିକାରୀ ଓ କାରଖାନା ମାଲିକଙ୍କଠୁ ୧୨ଟି ବନ୍ଧୁକ ଜବତ ହୋଇଛି । ସେଥିରୁ ୬ଟିରେ ଗୁଳି ଭର୍ତ୍ତି ହୋଇରହିଥିବା ସୂଚନା ମିଳିଛି।

ପ୍ରଥମ ଦିନରେ କୋଈମୁଣ୍ଡିୟ ଗାଁରେ ଚଢାଉ କରି ଦୁଇଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଥିବାବେଳେ ଦ୍ବିତୀୟ ଦିନରେ ମଲ୍ଲିବଣିଆ ଓ ଗତକାଲି ବିଳମ୍ବିତ ରାତିରେ ଡେଉଁଖାଲ ଗାଁରେ ଚଢାଉ କରି ବନ୍ଧୁକ ସହ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗର ସ୍ପେଶାଲ୍ ଟିମ୍। ଆଗକୁ ବନ ବିଭାଗ, ପୋଲିସ , ସ୍ପେଶାଲ ଟାସ୍କ ଫୋର୍ସ, ଏକ୍ସ ଆର୍ମି ଟିମର ମିଳିତ ଅପରେସନ ଜାରି ରହିବ ବୋଲି କୁଲଡିହା ରେଞ୍ଜର ପ୍ରବୀର ମୁର୍ମୁ ସୂଚନା ଦେଇଛନ୍ତି । କୁଲଡିହାରେ ଦୁଇଜଣ ସବୁଜ ବାହିନୀ କର୍ମଚାରୀ ଶିକାରୀ ଗୁଳିରେ ଗୁରୁତର ହୋଇଥିଲେ । ଏହାପରେ ଆକ୍ସନ ମୋଡକୁ ଆସିଛି ବନ ବିଭାଗ।