ପ୍ରେମିକ ଆଇଆଇସି ଗିରଫ ଘଟଣା: ମାମଲା ପ୍ରତ୍ୟାହାର ପାଇଁ ମହିଳା ହୋମଗାର୍ଡଙ୍କୁ ଧମକ ଅଭିଯୋଗ

କୁଜଙ୍ଗ: ମହିଳା ହୋମଗାର୍ଡଙ୍କୁ ପ୍ରେମ ଜାଲରେ ଫସାଇ ଶାରୀରିକ ସମ୍ପର୍କ ରଖିବା ଓ ବିବାହ କରିବାକୁ ମନା କରିବା ଅଭିଯୋଗରେ ବନ୍ଧା ହୋଇଥିବା ଆଇଆଇସି ବାବୁଙ୍କ ବିରୋଧରେ ପୁଣି ଆସିଛି ସଙ୍ଗୀନ ଅଭିଯୋଗ । ସେ ଜେଲରେ ଥିଲେ ବି ମାମଲା ପ୍ରତ୍ୟାହାର ପାଇଁ ମହିଳା ହୋମଗାର୍ଡ ଓ ତାଙ୍କ ପରିବାର ଉପରେ ଚାପ ପକାଉଥିବା ଅଭିଯୋଗ ହୋଇଛି । ଏପରିକି ଅତିରିକ୍ତ ଏସପିଙ୍କ ନାଁରେ ତାଙ୍କ ପରିବାର ଉପରେ ଚାପ ପକାଯିବା ସହ ଚାକିରି ନେଇଯିବା, ହତ୍ୟା କରିବା ଭଳି ଧମକ ଦିଆଯାଉଛି । ଯାହାକୁ ନେଇ ମହିଳା ହୋମଗାର୍ଡ ଜଣଙ୍କ ତାଙ୍କ ଜୀବନ ପ୍ରତି ବିପଦ ଥିବା ଅଶଙ୍କା ପ୍ରକାଶ କରିଛନ୍ତି ।
ମହିଳା ହୋମଗାର୍ଡଙ୍କ ଅଭିଯୋଗ ଅନୁସାରେରେ ପୂର୍ବତନ କୁଜଙ୍ଗ ଆଇଆଇସି ତଥା ରସିକିଆ ପ୍ରେମିକ ତପନ ନାହାକ ଜେଲ୍ ଯିବା ପରେ, ଜଣେ ବ୍ୟକ୍ତି ତାଙ୍କୁ ଭେଟିଥିଲେ । ସେ କହିଲେ, ଅତିରିକ୍ତ ଏସପି ପଠାଇଛନ୍ତି, ତପନ ନାହାକଙ୍କ ବିରୋଧରେ ଥିବା କେସ୍ ଉଠାଇ ଦିଅନ୍ତୁ, ୨୫ ଲକ୍ଷ ଟଙ୍କା ଦିଆଯିବ । ଏ ସମ୍ପର୍କରେ ଗଣମାଧ୍ୟମରେ ମୁହଁ ଖୋଲିଲେ ଚାକିରି ଯିବ । ସେପଟେ ହୋମଗାର୍ଡଙ୍କ ଘରକୁ ଦୁଇଜଣ ଅଚିହ୍ନା ଲୋକ ଯାଇ ତାଙ୍କ ବାପାମାଆଙ୍କୁ ଧମକ ଦେଇ କହିଛନ୍ତି, ଝିଅକୁ କୁହ କେସ୍ ଉଠାଇ ଦେବ, ନହେଲେ ପୂରା ପରିବାରକୁ ହତ୍ୟା କରାଯିବ ।
ଘଟଣାକୁ ନେଇ ଜଗତସିଂପୁର ଏସପି କହିଛନ୍ତି, ହୋମଗାର୍ଡଙ୍କ ବୟାନ ୧୬୪ଧାରାରେ ରେକର୍ଡ କରାଯାଇଛି । ଏ ସଂପର୍କରେ ସେ କିଛି କହି ନଥିଲେ । ଯଦି କିଛି ଅଭିଯୋଗ ଅଛି ତେବେ ଲିଖିତ ଆକାରରେ ଦେଲେ ତାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେପଟେ ମହିଳା ହୋମଗାର୍ଡଙ୍କ ବିରୋଧରେ ମଧ୍ୟ ତଦନ୍ତ ଆରମ୍ଭ କରାଯାଇଥିବା ଏସପି କହିଛନ୍ତି । କେଉଁ ପରିସ୍ଥିତିରେ କାହା ନିର୍ଦ୍ଦେଶରେ ହୋମଗାର୍ଡଙ୍କୁ ରାଇଟର ଡେସ୍କରେ କାମ କରିବାକୁ ଦିଆଯାଇଥିଲା ଓ ହୋମଗାର୍ଡଙ୍କୁ କିପର ସରକାରୀ କ୍ବାଟର ପ୍ରଦାନ କରାଯାଇଥିଲା ସେ ନେଇ ତଦନ୍ତ ଆରମ୍ଭ ହୋଇଛି ବୋଲି ଏସପି ଭବାନୀଶଙ୍କର ଉଦଗାତା କହିଛନ୍ତି ।