spot_img

Latest Posts

ଜୟପୁରଠାରେ ଦକ୍ଷିଣାଞ୍ଚଳ କୃଷି ମହୋତ୍ସବ ଓ ଜିଲ୍ଲା କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟିତ

ଭୁବନେଶ୍ୱର: କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରରେ ରାଜ୍ୟର ୭୦ ପ୍ରତିଶତରୁ ଊଦ୍ଧ୍ୱର୍ ଲୋକ ଜଡ଼ିତ ହୋଇଥିବାରୁ କୃଷିର ଉନ୍ନତି ବିନା ରାଜ୍ୟର ପ୍ରଗତି କରାଯାଇପାରିବ ନାହିଁ । ରାଜ୍ୟ ସରକାର କୃଷିର ସର୍ବାଙ୍ଗୀନ ବିକାଶ ନିମନ୍ତେ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଥିବାବେଳେ କୃଷକମାନଙ୍କ ଆୟବୃଦ୍ଧି ନିମନ୍ତେ ସରକାରଙ୍କ ପ୍ରତିବଦ୍ଧତା ରହିଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଆଜି ଜୟପୁରଠାରେ ଆୟୋଜିତ ଦକ୍ଷିଣାଞ୍ଚଳ କୃଷି ମହୋତ୍ସବ ଓ ଜିଲ୍ଲା କୃଷି ଯନ୍ତ୍ରପାତି ମେଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ କୃଷିର ବିକାଶ ପାଇଁ ସ୍ୱତନ୍ତ୍ର କୃଷି ବଜେଟ୍‌ କରାଯାଇଛି ।

୨୦୧୩-୧୪ ଆର୍ଥିକ ବର୍ଷରେ ପ୍ରାୟ ୭ ହଜାର କୋଟି ଟଙ୍କା କୃଷି ବଜେଟ ଥିବାବେଳେ ଏହା ବୃଦ୍ଧି ପାଇ ଆଜି ୨୧ ହଜାର କୋଟି ଟଙ୍କାରେ ପହଞ୍ଚିଛି । ବିଗତ ଦୁଇ ଦଶନ୍ଧିରେ ସମୟୋପଯୋଗୀ କୃଷି ଯୋଜନା ଓ ଚାଷୀଭାଇ ଓ ଭଉଣୀମାନଙ୍କର ଅକ୍ଳାନ୍ତ ପରିଶ୍ରମ ଫଳରେ ରାଜ୍ୟ ଏବେ ଚାଉଳ ଉତ୍ପାଦନରେ ଏକ ବଳକା ରାଜ୍ୟ ହୋଇପାରିଛି । ସେହିପରି ମାଛ, ମାଂସ, ଅଣ୍ଡା ଓ କ୍ଷୀର ଉତ୍ପାଦନରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ରାଜ୍ୟ ସରକାର ପ୍ରଣୟନ କରିଥିବା ବିଭିନ୍ନ ଯୋଜନାର ସୁଫଳ ଯେପରି ଚାଷୀମାନଙ୍କ ନିକଟରେ ପହଞ୍ଚିପାରିବ ସେଥି ନିମନ୍ତେ ବ୍ୟାପକ ପଦକ୍ଷେପ ନିଆଯାଇଛି ।

ରାଜ୍ୟର ପ୍ରତ୍ୟେକ ଚାଷୀଭାଇ ଓ ଭଉଣୀଙ୍କ ନିକଟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ସମସ୍ତ କାର୍ଯ୍ୟକ୍ରମ ଓ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ସୁବିଧାଗୁଡ଼ିକ ବିଷୟରେ ସଚେତନ କରାଇବା ଓ ପହଞ୍ଚାଇବା ଉଦ୍ଦେଶ୍ୟରେ ଆଞ୍ଚଳିକ ଓ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆୟୋଜନ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଆଧୁନିକ ଜ୍ଞାନକୌଶଳ ଓ କୃଷି ଯନ୍ତ୍ରପାତିର ବ୍ୟବହାର ଫଳରେ ଉତ୍ପାଦନ ଖର୍ଚ୍ଚକୁ କମ୍‌ କରାଯାଇପାରିବା ସହିତ ସମୟ ମଧ୍ୟ ସଞ୍ଚୟ ହୋଇପାରୁଥିବାରୁ ରାଜ୍ୟ ସରକାର କୃଷି ଯନ୍ତ୍ରପାତି ନିମନ୍ତେ ଅନେକ ରିହାତି ଦେଉଛନ୍ତି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ନିମନ୍ତେ ସ୍ୱତନ୍ତ୍ର ରିହାତିର ବ୍ୟବସ୍ଥା ମଧ୍ୟ ରହିଛି ।

ଏଥି ସହିତ ଅଧିକରୁ ଅଧିକ ମହିଳା ଉପଯୋଗୀ କୃଷି ଯନ୍ତ୍ରପାତିର ବ୍ୟବହାରକୁ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଏଥି ସହିତ ରାଜ୍ୟ ସରକାର ଚାଷୀମାନଙ୍କୁ ବିନା ସୁଧରେ କୃଷି ଋଣ ଯୋଗାଇଦେବା ସହିତ ବଳରାମ ଯୋଜନାରେ ଯୁଗ୍ମଦେୟ ଗୋଷ୍ଠୀ ମାଧ୍ୟମରେ ଭୂମୀହୀନ ଓ ଭାଗଚାଷୀମାନଙ୍କୁ ଋଣ ଯୋଗାଇ ଦେଉଛନ୍ତି । କୃଷି ଯୋଜନାଗୁଡ଼ିକରେ ସ୍ୱଚ୍ଛତା ଓ କାର୍ଯ୍ୟାନ୍ୱୟନ ତ୍ୱରିତ କରିବା ପାଇଁ ଅନ୍‌ଲାଇନ୍‌ର ବ୍ୟବସ୍ଥା କରାଯାଇଛି । ଜଳବାୟୁ ସହନଶୀଳ ପୁଷ୍ଟିଶସ୍ୟ ମାଣ୍ଡିଆ ଚାଷର ପ୍ରସାର ନିମନ୍ତେ ରାଜ୍ୟ ସରକାରଙ୍କ ଓଡ଼ିଶା ମିଲେଟ୍‌ ମିଶନ ଉଲ୍ଲେଖନୀୟ ସଫଳତା ହାସଲ କରିବା ସହିତ ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।

ଉଦ୍‌ଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ, ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ଜୟପୁର ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି, କୋଟପାଡ଼ ବିଧାୟକ ପଦ୍ମିନୀ ଦିଆନ, କୋରାପୁଟ ବିଧାୟକ ରଘୁରାମ ପୋଡାଲ, ପଟାଙ୍ଗୀ ବିଧାୟକ ପ୍ରୀତମ୍‌ ପାଢ଼ୀ, ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ଚନ୍ଦ୍ରଶେଖର ମାଝୀଙ୍କ ସମେତ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, କୋରାପୁଟ ଜିଲ୍ଲାପାଳ ଅବଦଲ୍‌ ଏମ୍‌ ଅଖତର୍‌ ଓ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ ।

କୃଷି ଓ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗ ସମେତ ବିଭିନ୍ନ ବିଭାଗର ୧୦୭ଟି ଷ୍ଟଲକୁ ନେଇ ଏହି କୃଷି ମେଳା ଆୟୋଜିତ କରାଯାଇଛି ଓ ଏଥିରେ କୃଷି ଯନ୍ତ୍ରପାତିର ବ୍ୟବହାର ଓ କାର୍ଯ୍ୟକାରିତା ସଂପର୍କରେ ପ୍ରଦର୍ଶନ କରାଯାଉଛି । ଉଦ୍‌ଘାଟନୀ ଅବସରରେ ଜିଲ୍ଲାର ଅଗ୍ରଣୀ ଚାଷୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଚାରୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଧାନକଳ, ମାଣ୍ଡିଆ ଚୂନାକଳ, ପାଣି ପମ୍ପସେଟ୍‌ ଓ ଅନ୍ୟାନ୍ୟ କୃଷି ଉପକରଣ ଦିଆଯାଇଥିଲା ଓ ଚାଷୀଭାଇମାନଙ୍କୁ ଚାର ଟିି ଟ୍ରାକଫର ମଧ୍ୟ ପ୍ରଦାନ କରାଯାଇଥିଲ । କୃଷି ମହୋତ୍ସବ ରେ କୃଷି ବିଶେଷଜ୍ଞ ଓ ବୈଜ୍ଞାନିକମାନଙ୍କ ଦ୍ୱାରା ବିଭିନ୍ନ ବିଷୟରେ କର୍ମଶାଳାର ଆୟୋଜନ ସହିତ ଚାଷୀମାନଙ୍କ ସହିତ ଭାବବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୧୦ ତାରିଖ ପର୍ଯ୍ୟନ୍ତ ଏହି ମେଳା ଆୟୋଜିତ ହେବ ।

Latest Posts

Don't Miss