ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲା, ଆଜି ଆଉ ୨ ଅଭିଯୁକ୍ତଙ୍କୁ ନେଇ କ୍ରାଇମସିନ୍ ରିକ୍ରିଏଟ୍ କରିଛି ପୋଲିସ

ପୁରୀ: ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲା । ଘଟଣାସ୍ଥଳରେ କ୍ରାଇମସିନ ରିକ୍ରିଏଟ କରିଛି ପୋଲିସ । ଆଜି ଆଉ ୨ ଅଭିଯୁକ୍ତଙ୍କୁ ନେଇ କ୍ରାଇମସିନ୍ ରିକ୍ରିଏଟ୍ କରିଛି । ୨ ଅଭିଯୁକ୍ତ ହରି ପଣ୍ଡା ଓ ବାବା ମହାପାତ୍ରଙ୍କୁ ନେଇ ପୋଲିସ କ୍ରାଇମସିନର ଡେମୋ କରାଇଛି । ଗତକାଲି ଅନ୍ୟ ୨ ଅଭିଯୁକ୍ତଙ୍କୁ ନେଇ କ୍ରାଇମସିନ୍ ରିକ୍ରିଏଟ ହୋଇଥିଲା । ଏହି ହତ୍ୟା ମାମଲାରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଥିବାବେଳେ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ଓରଫ ଟୁଟୁ ମହାପାତ୍ର, କୁନମୁନି ସୁଆରଙ୍କୁ ନେଇ କଡା ସୁରକ୍ଷାରେ ପୋଲିସ ବାରବାଟୀ ଜାଗା ପରିସରରେ କରିଥିଲା ଡେମୋ ।

ଗତ ୧୬ ତାରିଖ ଦିନ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ଜାଗାକୁ ଆସି ଚଉତରାର କେଉଁ ସ୍ଥାନରେ ବସିଥିଲେ, କେମିତି ଚାଲାକିର ସହ ତାଙ୍କୁ ମାରିଥିଲେ ଗୁଳି, ହତ୍ୟା କରିବା ପରେ କେଉଁ ବାଟ ଦେଇ ଗଲେ ଓ କାହା ସହ ଗଲେ ତାହା ମଧ୍ୟ ପୋଲିସ ଆଗରେ ପ୍ରକାଶ କରିଛନ୍ତି ଅଭିଯୁକ୍ତ । ଏହି ହତ୍ୟା ମାମଲାରେ ୪ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେବା ପାଇଁ ଏସଡିଜେଏମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୪ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଥିଲା ପୋଲିସ । ଏହି ରିମାଣ୍ଡ ସମୟରେ ପୋଲିସ ଅଭିଯୁକ୍ତଙ୍କ ଠାରୁ ସମସ୍ତ ତଥ୍ୟ, ପ୍ରମାଣ ହାସଲ କରି ଚାର୍ଜସିଟ୍ ଦାଖଲ କରିବ ।

ସୂଚନା ଅନୁସାରେ, ମାର୍ଚ୍ଚ ୧୬ରେ ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। କୃଷ୍ଣଚନ୍ଦ୍ର ବାରବାଟୀ ଜାଗା ଘରେ ବସିଥିବାବେଳେ ଦୁବୃର୍ତ୍ତମାନେ ତାଙ୍କୁ ତିନି ରାଉଣ୍ଡ ଫାୟାରିଂ କରିଥିଲେ । ଅତି ନିକଟରୁ କୃଷ୍ଣଚନ୍ଦ୍ରଙ୍କୁ ଗୁଳିମାଡ଼ କରାଯାଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ କୃଷ୍ଣଚନ୍ଦ୍ରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେତେବେଳକୁ ସେ ପ୍ରାଣ ହରାଇ ସାରିଥିଲେ ।