କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆନ୍ତରିକତାକୁ ନେଇ ଉଠିଲା ପ୍ରଶ୍ନ
ଭୁବନେଶ୍ବର : କୋଟିଆରେ ଆନ୍ଧ୍ରର ପ୍ରବେଶ ଉପରେ ରୋକ ଲଗାଇକୁ କରୁନାହାନ୍ତି ଉଦ୍ୟମ। ଦିଲ୍ଲୀ ସ୍ତରରେ ମଧ୍ୟ ପ୍ରସଙ୍ଗ ଉଠାଇବାର ହେଉନି ପ୍ରୟାସ।ଏପରିକି ସୁପ୍ରିମକୋର୍ଟରେ ରାଜ୍ୟର ସ୍ୱାର୍ଥ ରକ୍ଷା ପାଇଁ ଲଢେଇ ହେଉଥିବା ବେଳେ ଓକିଲ ପଦ ବି ଫାଙ୍କା। ଓଡିଶା ସରକାରଙ୍କର ମା ମାଟି ପାଇଁ ସମ୍ମାନ ଏମିତି। କୋଟିଆ ପ୍ରସଙ୍ଗରେ ଅବହେଳାକୁ ନେଇ ରାଜ୍ୟର ବିଜେପି ସରକାର ଉପରେ ବର୍ଷିଛନ୍ତି ବିଭିନ୍ନ ସଂଗଠନ। ଦୁଇ ମାସ ତଳେ କୋଟିଆ ଶୁଣାଣି ବେଳେ ସୁପ୍ରିମକୋର୍ଟରେ ଓଡ଼ିଶାର ଓକିଲ ଅନୁପସ୍ଥିତ ଥିଲେ। ଏବେ ଲଢେଇ ପାଇଁ ଓଡ଼ିଶାର କୌଣସି ଓକିଲ ନ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତୁରନ୍ତ ଓକିଲ ନିଯୁକ୍ତି ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି ଓଡ଼ିଆ ଅସ୍ମିତା ପରିଷଦ। ଏହାସହ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ନିକଟରେ ତଥ୍ୟ ଉପସ୍ଥାପନ ଲାଗି ଦାବି ରଖିଛି ପରିଷଦ। ମା’ ମାଟିର ସୁରକ୍ଷା ପାଇଁ ସରକାରଙ୍କ ଦରଦ ନାହିଁ ବୋଲି କହିଛି ପରିଷଦ।ବିଧାନସଭା ଗୃହ କମିଟି କୋଟିଆ, ଦେଓମାଳି ଓ ପଶ୍ଚିମବଙ୍ଗ ସୀମା ଶଙ୍ଖମେଦି ଗାଁକୁ ଗସ୍ତ କରିବାକୁ ଦାବି କରାଯାଇଛି। ରାଜ୍ୟ ସରକାର ତୁରନ୍ତ ଓକିଲ ନିଯୁକ୍ତି କରି ସୁପ୍ରିମକୋର୍ଟରେ ମାମଲାର ଫଇସଲା କରିବା ଆବଶ୍ୟକ ବୋଲି କହିଛି ଉତ୍କଳ ସମ୍ମିଳନୀ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଦାବି ହାସଲ ପାଇଁ କେନ୍ଦ୍ର ସ୍ତରରେ ଉଦ୍ୟମ କରନ୍ତୁ।ପୂର୍ବ ସରକାରରେ କୋଟିଆ ପାଇଁ ବହୁ କାର୍ଯ୍ୟ ହୋଇଛି। କିନ୍ତୁ ଏବେକାର ସରକାର ସେସବୁ କାର୍ଯ୍ୟକୁ ଆହୁରି ଆଗେଇ ନେବା ଆଵଶ୍ୟକ ବୋଲି କହିଛି ଉତ୍କଳ ସମ୍ମିଳନୀ।…
କୋଟିଆ ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ରାଜ୍ୟ ସରକାର ଓକିଲ ନିଯୁକ୍ତ ନକରିବାକୁ ନେଇ ସମାଲୋଚନା କରିଛନ୍ତି ଆଇନଜୀବୀ। ସୁପ୍ରିମକୋର୍ଟରେ ସଠିକ ଢଙ୍ଗରେ ଯୁକ୍ତି ଉପସ୍ଥାପନ କରା ନଗଲେ ଏହାର ପ୍ରଭାବ ରାଜ୍ୟ ଉପରେ ପଡ଼ିବ। କୋଟିଆକୁ ନେଇ ରାଜ୍ୟ ସରକାର ଯେଭଳି ଜଣାଅଜଣା ଖେଳ ଖେଳୁଛନ୍ତି ତାହା ନିନ୍ଦନୀୟ ବୋଲି କହିଛି ଓଡିଶା ବିକାଶ ପରିଷଦ। ମା ମାଟିର ସୁରକ୍ଷା ଲାଗି ନ୍ୟାୟିକ ଲଢେଇରେ ସରକାର ଆଗକୁ ଆସିବାକୁ ଦାବି କରିଛି ପରିଷଦ। ଓଡ଼ିଶାରେ ବିରୋଧୀ ଦଳରେ ଥିବା ବେଳେ କୋଟିଆ ପ୍ରସଙ୍ଗକୁ ନେଇ ବିଜେପି ଯେଉଁଭଳି ତତ୍ପରତା ଦେଖାଉଥିଲା ସରକାରକୁ ଆସିବା ପରେ ଏ ପ୍ରସଙ୍ଗରେ ଅବହେଳା ସବୁ ସୀମା ଟପିଯାଇଥିବା ଅଭିଯୋଗ ହୋଇଛି।