କୋଟିଆ ବିବାଦ: ଆନ୍ଧ୍ରକୁ ସମନ କଲେ ସୁପ୍ରିମକୋର୍ଟ

କୋରାପୁଟ: କୋଟିଆ ବିବାଦରେ ଆନ୍ଧ୍ରପ୍ରଦେଶକୁ ସମନ କରିଛନ୍ତି ସୁପ୍ରିମକୋର୍ଟ । ଆନ୍ଧ୍ରପ୍ରଦେଶକୁ ୨୮ ଦିନ ଭିତରେ ହାଜର ହେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।  ସମ୍ବିଧାନର ଧାରା ୧୩୧ ଅନୁସାରେ ଏହି ମାମଲାର ବିଚାର ପାଇଁ ଓଡ଼ିଶା ସରକାର ଆବେଦନ କରିଥିଲେ ।

କୋଟିଆ ବିବାଦରେ ଆନ୍ଧ୍ରପ୍ରଦେଶ ଏବଂ କେନ୍ଦ୍ର ସରକାରଙ୍କୁ ସମନ କରିଛନ୍ତି ସୁପ୍ରିମକୋର୍ଟ । ୨୮ ଦିନ ଭିତରେ ହାଜର ହୋଇ କୋଟିଆ ମାମଲାରେ ଓଡ଼ିଶା ଆବେଦନ କରିଥିବା ମାମଲାର ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋଟିଆ ମାମଲାକୁ ୨୦୦୬ରେ ସୁପ୍ରିମକୋର୍ଟ ଖାରଜ କରି ଦେଇଥିଲେ । ଏହି ନିର୍ଦ୍ଦେଶକୁ  ସୁପ୍ରିମକୋର୍ଟ ଆଇନଜୀବୀ ଶିବ ଶଙ୍କର ମିଶ୍ର ଚ୍ୟାଲେଞ୍ଜ କରି ପୁଣି ଥରେ ଆବେଦନ କରିଥିଲେ । ଏହି ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶ ଏବଂ କେନ୍ଦ୍ର ସରକାରଙ୍କୁ ଜବାବ ରଖିବା ପାଇଁ ସମନ କରିଛନ୍ତି ।

ନିର୍ଦ୍ଧାରିତ ସମୟରେ ଦୁଇ ଜଣ ସୁପ୍ରିମକୋର୍ଟରେ ହାଜର ନହେଲେ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ମାମଲାର ଶୁଣାଣି କରିବେ । ଏଥିପାଇଁ ସେମାନେ ଦାୟୀ ରହିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି  ।