ଉପାନ୍ତରୁ ଉପକୂଳ ସବୁଠି ପ୍ରବଳ ବର୍ଷା, କୋରାପୁଟରେ ସର୍ବାଧିକ ୧୬୮ ମିଲିମିଟର ରେକର୍ଡ

1 min read

ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ଉପାନ୍ତରୁ ଉପକୂଳ ସବୁଠି ପ୍ରବଳ ବର୍ଷା ଜାରି ରହିଛି । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ନିର୍ଧୁମ କାଚିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଜି ୧୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ନେଇ ୧୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତା ଦୁଇ ଦିନ ପରେ ରାଜ୍ୟରେ ବର୍ଷାର ପରିମାଣ କମିବ । କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ।

ସେପ୍ଟେମ୍ବର ୧ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକ ଠାରୁ ୪୬ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି । ସେପଟେ ପ୍ରବଳ ବର୍ଷା ସତ୍ତ୍ବେ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ।

ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସମ୍ବଲପୁର, ବରଗଡ, ସୋନପୁର, ବୌଦ୍ଧ, ବଲାଙ୍ଗୀର, କନ୍ଧମାଳ, ଗଞ୍ଜାମ, କଳାହାଣ୍ଡି ଏବଂ ନବରଙ୍ଗପୁରରେ ୧୨୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା । ତଳିଆ ଅଞ୍ଚଳରେ ସୃଷ୍ଟିହେବ ଜଳମଗ୍ନ ପରିସ୍ଥିତି । ଆକସ୍ମିକ ବନ୍ୟା ନେଇ ସତର୍କତା ଜାରି କଲା ପାଣିପାଗ କେନ୍ଦ୍ର । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶା ଦେଇ ଝାଡଖଣ୍ଡ ମୁହାଁ ହେବ । ପ୍ରଭାବରେ ଆହୁରି ଦୁଇଦିନ ନିର୍ଧୁମ କାଚିବ ।

ବୁଧବାର ପାଇଁ ପୁରା ଓଡ଼ିଶାକୁ ସତର୍କତା ଜାରି କରାଯାଇଥିବା ବେଳେ ଗୁରବାର ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲା ନୂଆପଡା, ବରଗଡ, ବଲାଙ୍ଗୀର, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ ଏବଂ ଦେବଗଡ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପ୍ରବଳ ବର୍ଷା ନେଇ ୯ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।

ଲଘୁଚାପର ପ୍ରଭାବ ଉପକୂଳ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପଡିବ । ଫଳରେ ନଦୀ ଗୁଡିକ ପୁଣି ଫୁଲିବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ଅନ୍ୟପଟେ ରାଜ୍ୟରେ ଏବେ ବନ୍ୟା ସ୍ଥିତି ନାହିଁ । ମହାନଦୀରେ ମୁଣ୍ଡଳି ଠାରେ ୩ ଲକ୍ଷ ୭୦ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଛି । ହୀରାକୁଦ ଜଳ ସ୍ତର ଖସିବାରେ ଲାଗିଛି । ହୀରାକୁଦ ସ୍ଥିତି ସ୍ବାଭାବିକ ଅଛି । ହୀରାକୁଦ ଜଳଭଣ୍ଡାରରେ ୬୨୮ ଫୁଟ ପାଣି ଅଛି । ଜଳଭଣ୍ଡାରରେ ଆହୁରି ପାଣି ରହିବାର କ୍ଷମତା ଅଛି । ଫଳରେ ଆଜି ସମସ୍ତ ଗେଟ ବନ୍ଦ କରି ଦିଆଯାଇଛି । ଆସନ୍ତାକାଲି ଉପରମୁଣ୍ଡରେ ଆଉ ତଳମୁଣ୍ଡରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।

ସେପ୍ଟେମ୍ବର ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକ ଠାରୁ ୪୬ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟରେ ସର୍ବାଧିକ ୧୬୮ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ନନ୍ଦପୁରରେ ୧୩୭ ଏବଂ କଳାହାଣ୍ଡିର ନର୍ଲାରେ ୯୬ ମିଲିମିଟର ବର୍ଷା ରେକର୍ଡ ରେକର୍ଡ ହୋଇଛି ।