ନିର୍ବାଚନକୁ ଶାନ୍ତି, ଅବାଧ ଓ ସ୍ଵଚ୍ଚ କରିବାକୁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ
ନନ୍ଦିଘୋଷ ବ୍ୟୁରୋ: ରାତି ପାହିଲେ ନିର୍ବାଚନ । କୋରାପୁଟ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ହେବ ଭୋଟିଂ । ସୋମବାର ସକାଳ ୭ ଟାରୁ ନେତା ବାଛିବେ ଭୋଟର । ନିର୍ବାଚନକୁ ଶାନ୍ତି ଅବାଧ ଓ ସ୍ଵଚ୍ଚ କରିବାକୁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକ୍ରିୟା ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କୋରାପୁଟ ଜିଲ୍ଲାର ୫ ଟି ବିଧାନସଭା ଆସନ ଓ ଲୋକସଭା ଆସନ ପାଇଁ ନିର୍ବାଚନ ହେବ । ଜିଲ୍ଲାର ଲକ୍ଷ୍ମୀପୁର ଓ ପଟାଙ୍ଗୀ ବିଧାନସଭା ଆସନ ପାଇଁ ସକାଳ ୭ ରୁ ୪ ଯାଏଁ , କୋରାପୁଟ ଓ କୋଟପାଡ଼ ବିଧାନସଭା ଆସନ ପାଇଁ ସକାଳ ୭ ରୁ ୫ ଟା, ଜୟପୁର ବିଧାନସଭାରେ ସକାଳ ୭ ଟା ରୁ ସଂଧ୍ୟା ୬ ଟା ଯାଏଁ ଭୋଟ ଗ୍ରହଣ କରାଯିବ । ଜିଲ୍ଲାରେ ୬୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ କୋରାପୁଟବାସୀ । ଜିଲ୍ଲାର ୪ ଟି ବିଧାନସଭା ନିର୍ବାଚନମଣ୍ଡଳି ପାଇଁ ପୋଲିଂ କର୍ମଚାରୀ ପହଞ୍ଚି ସାରିଛନ୍ତି । ଜିଲ୍ଲାରେ ୧୧୭ ଟି ସଖି ବୁଥ ହୋଇଥିବା ବେଳେ ଏଠାରେ ମହିଳା ଅଧିକାରୀମାନେ ବୁଥ ପରିଚାଳନା କରିବେ । ଏଥିରେ ନିୟୋଜିତ ମହିଳା କର୍ମଚାରୀମାନଙ୍କ ମଧ୍ଯରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି ।