କୋଣାର୍କ : ବାଲି ଚଲାଣକୁ ବିରୋଧ କରିବାରୁ ଫୁଟିଲା ଗୁଳି ସହ ବୋମା । ନ୍ୟାୟ ପାଇଁ ଥାନାରେ ଅଭିଯୋଗ କଲେ ଶତାଧିକ ଗ୍ରାମବାସୀ । ଗତକାଲି ବିଳମ୍ବିତ ରାତିରେ ପୁରୀ ଜିଲ୍ଲା କାକଟପୁର ଥାନା ବାଲିକୂଳ ନିକଟରେ ବାଲି ଉଠାଣକୁ ନେଇ ଅଞ୍ଚଳବାସୀ ବିରୋଧ କରିଥିଲେ । ଅନ୍ଧାର ରାତିର ସୁଯୋଗ ନେଇ ବାଲି ଉଠାଣସ୍ଥାନରେ ବୋମାମାଡ଼ କରିବା ସହ ଫାଙ୍କା ଗୁଳି ଚାଳନା କରିଥିଲେ ଦୁର୍ବୃତ୍ତ। ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । କାକଟପୁର ପୋଲିସ ତଦନ୍ତ ଜାରି ରଖିଛି । ଅନ୍ୟପଟେ କାକଟପୁର ଥାନାରେ ନିମାପଡା ଏସଡିପିଓ ପହଂଚି ତଦନ୍ତ କରୁଛନ୍ତି । ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି । ନିର୍ଦ୍ଧାରିତ ଲିଜ ଏରିଆକୁ ବାଦ ଦେଇ ଅନ୍ୟ ସ୍ଥାନରୁ ବାଲି ଉଠାଉଛନ୍ତି ଲିଜଧାରୀ। ବାଲି ଲୁଟ ଫଳରେ ନଦୀ ଜଳର ଗତିପଥ ବଦଳିବା ସହ ନଦୀ କୂଳ ଖାଇଯାଉଛି । ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି ବାଲିକୂଳ, ମୁତୁଣିଆ, ଡାହାଣୀ ଖିଆ ଗାଁ ଲୋକେ। ଗାଁ ଗୁଡିକ ନଦୀ ଗର୍ଭରେ ଲୀନ ହେବାକୁ ବସିଥିବା ବେଳେ ବାଲି ଉଠାଣକୁ ବିରୋଧ କରିଛନ୍ତି ଗାଁ ଲୋକ ।

