କରୋନାର ଦ୍ୱିତୀୟ ସଂକ୍ରମଣ ଆତଙ୍କ: ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ବନ୍ଦ ରହିବ କୋଣାର୍କ ମନ୍ଦିର
ଭୁବନେଶ୍ୱର: କରୋନାର ଦ୍ୱିତୀୟ ସଂକ୍ରମଣ ଆତଙ୍କ ଖେଳାଇଥିବା ବେଳେ, ବନ୍ଦ ହେଲା ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ଥିବା ସମସ୍ତ ଐତିହସ୍ଥଳୀ ଓ ସଂଗ୍ରହାଳୟ । ଏହି କ୍ରମରେ ଆଜିଠୁ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ଆଜି ବନ୍ଦ ରଖାଯାଇଛି । ଫଳରେ ସକାଳୁ ସୂର୍ଯ୍ୟମନ୍ଦିର ବୁଲିବାକୁ ଆସିଥିବା ପର୍ଯ୍ୟଟକ ନିରାଶ ହୋଇ ଫେରିଛନ୍ତି । ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏପ୍ରିଲ ୧୫ ଠାରୁ ମେ ୧୫ ତାରିଖ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶନାମା ନଆସିବା ପର୍ଯ୍ୟନ୍ତ କୋଣାର୍କ ବନ୍ଦ ରହିବ । କରୋନା କଟକଣା ପାଇଁ ୮ ମାସ ଧରି ସୂର୍ଯ୍ୟ ମନ୍ଦିର ବନ୍ଦ ରହିବା ଯୋଗୁଁ ଏଠାକାର ସମସ୍ତ ଛୋଟବଡ଼ ବ୍ୟବସାୟୀ ପ୍ରଭାବିତ ହୋଇଥିଲେ । ଏବେ ପୁଣି ପୂର୍ବ ସୂଚନା ନଦେଇ ପର୍ଯ୍ୟଟନସ୍ଥଳୀ ବନ୍ଦ କରାଯାଇଥିବାରୁ ଜୀବନଜୀବିକା ସଂକଟରେ ପଡ଼ିଛି ।
ରାଜ୍ୟରେ ବଢ଼ୁଥିବା କୋଭିଡ୍ ସଂକ୍ରମଣ ମାମଲାକୁ ନେଇ ସରକାର କଡ଼ା ପଦକ୍ଷେପ ନେଇଛନ୍ତି । ପୂର୍ବରୁ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ସରକାର ରାତ୍ରୀକାଳୀନ କର୍ଫ୍ୟୁ ଲଗାଇଥିଲେ । ଏଥିରେ ପରିବର୍ତ୍ତନ କରାଯାଇଛି । ଶନିବାର ଠାରୁ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ସନ୍ଧ୍ୟା ୬ଟାରୁ ଭୋର୍ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ଏନେଇ ସାମ୍ବଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।
ଛତିଶଗଡ଼ ସୀମାନ୍ତ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରିର ସହରାଞ୍ଚଳରେ ଆସନ୍ତାକାଲିଠାରୁ ରାତ୍ରୀକାଳୀନ କର୍ଫ୍ୟୁ ସମୟ ପରିବର୍ତ୍ତନ ହେବ । ୧୦ ଜିଲ୍ଲାର ସହରାଞ୍ଚଳରେ ସନ୍ଧ୍ୟା ୬ଟାରୁ ଭୋର୍ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ଏହାବ୍ୟତୀତ ଓଡ଼ିଶାର ଅନ୍ୟ ୨୦ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହେବ । ସମସ୍ତ ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ରାତି ୯ଟାରୁ ସକାଳ ୫ଟା ଯାଏ ଶନିବାର ଠାରୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଲାଗୁ ହେବ ।
ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାନ୍ତରେ ଥିବା ୧୦ ଜିଲ୍ଲାର ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ୍ କରାଯିବ । ପ୍ରତି ଶନିବାର ଓ ରବିବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରିର ସହରାଞ୍ଚଳରେ ୱିକେଣ୍ଡ ସଟଡାଉନ୍ ଲାଗୁ ହେବ । ଆସନ୍ତା ଶନିବାର ଓ ରବିବାର ଠାରୁ ଏହି ସାପ୍ତାହିକ ସଟଡାଉନ୍ ଲାଗୁ ହେବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।