କୋଣାର୍କ ମହୋତ୍ସବ: ମନମୋହିଲା ଓଡ଼ିଶୀ ଓ କଥକ ନୃତ୍ୟ

କୋଣାର୍କ: ଗତକାଲିଠାରୁ ଆରମ୍ଭ ହୋଇଛି କୋଣାର୍କ ମହୋତ୍ସବ । ଭର୍ଚୁଆଲରେ ମହୋତ୍ସବକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ସନ୍ଧ୍ୟାରେ ଓଡ଼ିଶୀ ଓ କଥକ ନୃତ୍ୟ ପରିବେଷଣ ଦର୍ଶକଙ୍କ ମନ ମୋହିଛି ।

ପ୍ରଥମ ସନ୍ଧ୍ୟାର ପ୍ରଥମାର୍ଦ୍ଧାରେ ପଦ୍ମଶ୍ରୀ ମାଧବୀ ମୁଦଗଲ ଓ ସାଥି କଳାକାରଙ୍କ ଦ୍ବାରା ପରିବେଷଣ ହୋଇଥିଲା ଓଡ଼ିଶୀ ନୃତ୍ୟ । ସନ୍ଧ୍ୟାର ଦ୍ବିତୀୟାର୍ଦ୍ଧରେ ବିଶିଷ୍ଟ କଥକ ନୃତ୍ୟଶିଳ୍ପୀ ଭାସ୍ବତୀ ମିଶ୍ର ଓ ସାଥି କଳାକାରଙ୍କ ଦ୍ବାରା କଥକ ନୃତ୍ୟ ଦର୍ଶକଙ୍କୁ ବେଶ ଆକର୍ଷିତ କରିଥିଲା ।

ଉଦଘାଟନୀ ସମାରୋହରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସମେତ, ସମ୍ମାନିତ ଅତିଥି ଭାବେ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଏମ. ବାଲକ୍ରିଷ୍ଣନ ପ୍ରମୁଖ ଯୋଗ ଦେଇଥିଲେ । ଆଜି ଗୌହ୍ବାଟି ସ୍ଥିତ ଅଭିନୟ ଡାନ୍ସ ଏକାଡେମୀର କଳାକାରଙ୍କ ଦ୍ବାରା ଶାସ୍ତ୍ରୀୟ ନୃତ୍ୟ ଓ ଭୁବନେଶ୍ବରର ନୁପୁର ଅନୁଷ୍ଠାନ ପକ୍ଷରୁ ଓଡ଼ିଶୀ ନୃତ୍ୟ ପରିବେଷଣ ହେବ ।

Leave a Reply