ଆଜିଠୁ ଆରମ୍ଭ ହେବ ୩୫ ତମ କୋଣାର୍କ ଉତ୍ସବ

ନନ୍ଦିଘୋଷ ବ୍ୟୁରୋ: ଆଜିଠୁ ଅର୍ଥାତ ରବିବାରଠାରୁ ଆରମ୍ଭ ହେବ ୩୫ ତମ କୋଣାର୍କ ଉତ୍ସବ । ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ ପାଇଁ ଉତ୍ସବମୁଖର ହୋଇଉଠିଛି କୋଣାର୍କ । ଶାସ୍ତ୍ରୀୟ ନୃତ୍ୟରେ କମ୍ପିବ ମୁକ୍ତାକାଶ ରଙ୍ଗମଞ୍ଚ । ଦେଶର କଳା ସଂସ୍କୃତିର ପ୍ରଚାର ପ୍ରସାର ଓ ପର୍ଯ୍ଯଟନ ଶିଳ୍ପର ଅଭିବୃଦ୍ଧି ନିମନ୍ତେ ଆରମ୍ଭ ହୋଇଥିଲା ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ । ପ୍ରତି ବର୍ଷ ପରି ଚଳିତ ବର୍ଷ ଡିସେମ୍ବର ୧ ତାରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ଉତ୍ସବ ସହିତ ଚନ୍ଦ୍ରଭାଗା ସ୍ଵର୍ଣ୍ଣୀମ ବେଳାଭୂମିରେ ବାଲୁକା କଳା ଉତ୍ସବ ଅନୁଷ୍ଠିତ ହେବ । କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ ସହ କୋଣାର୍କ ସହର ଓ ଚନ୍ଦ୍ରାଭାଗା ବେଳାଭୂମିକୁ ନୂଆରୂପରେ ସଜ୍ଜିତ କରାଯାଇଛି ।

ବିଶେଷକରି ସୂର୍ଯ୍ୟ ମନ୍ଦିର ପାଦଦେଶରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚର ମଞ୍ଚ ସଜ୍ଜା, ତୋରଣ ନିର୍ମାଣ , ଆଲୋକ ସଜ୍ଜା, ଅନ୍ୟାନ୍ୟ ବାହ୍ୟ ସାଜ ସଜ୍ଜା ସହ ଚନ୍ଦ୍ରଭାଗାରେ ବାଲୁକା କଳା ପ୍ରଦର୍ଶନ ପାଇଁ ବ୍ଯାରିକେଟ ନିର୍ମାଣ କାର୍ଯ୍ଯ ଶେଷ ହୋଇଛି । ବିଶେଷକରି କୋଣାର୍କକୁ ପର୍ଯ୍ୟଟକ ମାନେ ଆସିବା ପାଇଁ ରାଜ୍ୟ ଓଟିଡିସି ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । କୋଣାର୍କ ଉତ୍ସବର ପ୍ରଥମ ସନ୍ଧ୍ୟାରେ ଭୁବନେଶ୍ୱରର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ଓଡିଶୀ ଓ ନୂଆଦିଲ୍ଲୀର ମାଳତୀ ଶ୍ୟାମ ଗ୍ରୁପ ପକ୍ଷରୁ କଥକ ନାଚ ପରିବେଷଣ ହେବ ।

ଚଳିତ ବର୍ଷ ଆମେରିକା, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା ,ବେଲାରୁଷ ଆଦି ୬ ଟି ଦେଶର ବିଦେଶୀ ଶିଳ୍ପୀଙ୍କ ସମେତ ରାଜ୍ଯ ବାହାରୁ ସମୁଦାୟ ୧୦୦ରୁ ଅଧିକ ବାଲୁକା ଶିଳ୍ପୀ ବାଲୁକା କଳା ପ୍ରଦର୍ଶନ କରିବେ । ସମୁଦାୟ ୩୮ଟି ଷ୍ଟଲରେ ବାଲୁକା କଳା ପ୍ରଦର୍ଶନ କରାଯିବ । କୋଣାର୍କ ଉତ୍ସବ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ କୋଣାର୍କ ଏନଏସି ପକ୍ଷରୁ ପରିମଳ ବ୍ୟବସ୍ତା, ପାନୀୟ ଜଳ ଯୋଗାଣ , ପାର୍କିଂ ଓ ମୀନା ବଜାର ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ।