ଆରମ୍ଭ ହେଲା କୋଣାର୍କ ଉତ୍ସବ: ନୃତ୍ୟରସରେ ରଙ୍ଗୀନ ହେବ ଶୀତୁଆ ସନ୍ଧ୍ୟା

କୋଣାର୍କ: ଆରମ୍ଭ ହେଲା ୩୫ ତମ କୋଣାର୍କ ଉତ୍ସବ । ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ ପାଇଁ ଉତ୍ସବ ମୁଖର କୋଣାର୍କ । ଶାସ୍ତ୍ରୀୟ ନୃତ୍ୟରେ କମ୍ପିବ ମୁକ୍ତାକାଶ ରଙ୍ଗମଞ୍ଚ । ଦେଶର କଳା ସଂସ୍କୃତିର ପ୍ରଚାର ପ୍ରସାର ଓ ପର୍ଯ୍ଯଟନ ଶିଳ୍ପର ଅଭିବୃଦ୍ଧି ନିମନ୍ତେ ଆରମ୍ଭ ହୋଇଥିଲା ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ । ପ୍ରତିବର୍ଷ ପରି ଚଳିତବର୍ଷ ଡିସେମ୍ବର ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ଉତ୍ସବ ସହିତ ଚନ୍ଦ୍ରଭାଗା ସ୍ଵର୍ଣ୍ଣିମ ବେଳାଭୂମିରେ ବାଲୁକା କଳା ଉତ୍ସବ ଅନୁଷ୍ଠିତ ହେଉଛି ।

କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ ସହ କୋଣାର୍କ ସହର ଓ ଚନ୍ଦ୍ରାଭାଗା ବେଳାଭୂମିକୁ ନୂଆ ରୂପରେ ସଜ୍ଜିତ କରାଯାଇଛି । ବିଶେଷ କରି ସୂର୍ଯ୍ୟ ମନ୍ଦିର ପାଦଦେଶରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚର ମଞ୍ଚ ସଜ୍ଜା, ତୋରଣ ନିର୍ମାଣ, ଆଲୋକ ସଜ୍ଜା, ଅନ୍ୟାନ୍ୟ ବାହ୍ୟ ସାଜ ସଜ୍ଜା ସହ ଚନ୍ଦ୍ରଭାଗାରେ ବାଲୁକା କଳା ପ୍ରଦର୍ଶନ ପାଇଁ ବ୍ଯାରିକେଟ ନିର୍ମାଣ ହୋଇଛି ।

କୋଣାର୍କକୁ ପର୍ଯ୍ୟଟକମାନେ ଆସିବା ପାଇଁ ରାଜ୍ୟ ଓଟିଡିସି ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଚଳିତବର୍ଷ ଆମେରିକା, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ବେଲାରୁଷ ଆଦି ୬ଟି ଦେଶର ବିଦେଶୀ ଶିଳ୍ପୀଙ୍କ ସମେତ ରାଜ୍ଯ ବାହାରୁ ସମୁଦାୟ ୧୦୦ରୁ ଅଧିକ ବାଲୁକା ଶିଳ୍ପୀ ସେମାନଙ୍କ ବାଲୁକା କଳା ପ୍ରଦର୍ଶନ କରିବାକୁ ଆସିଛନ୍ତି । ମୋଟ ୩୮ଟି ଷ୍ଟଲରେ ବାଲୁକା କଳା ପ୍ରଦର୍ଶନ ହେଉଛି । କୋଣାର୍କ ଉତ୍ସବ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ କୋଣାର୍କ ଏନଏସି ପକ୍ଷରୁ ପରିମଳ ବ୍ୟବସ୍ତା, ପାନୀୟ ଜଳ ଯୋଗାଣ, ପାର୍କିଂ ଓ ମୀନାବଜାର ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ।