ମୌସୁମୀ ବର୍ଷା ଆଣିଦେଲା ଚାଷୀଙ୍କ ମୁହଁରେ ହସ

ନନ୍ଦିଘୋଷ ବ୍ୟୁରୋ: କ୍ଷେତ ମୁହାଁ ଚଷା ପୁଅ । ମୌସୁମୀ ବର୍ଷା ଆଣିଦେଲା ଚାଷୀଙ୍କ ମୁହଁରେ ହସ । ବର୍ଷା କୁ ଦେଖି ଚଳଚଞ୍ଚଳ ହୋଇଛି ଚଷା ପୁଅ। ପୁରୀ ଜିଲ୍ଲା ଉପକୂଳ କାକଟପୁର, ଅସ୍ତରଙ୍ଗ ଅଞ୍ଚଳରେ ଆରମ୍ଭ ହୋଇଯାଇଛି ଚାଷ କାମ। ମୌସୁମୀ ବର୍ଷାର ପ୍ରଥମ ଛୁଆଁରେ ହସୁଛି ଧରା । ପ୍ରଫୁଲିତ ଚଷା ପୁଅ । ଚାଷ କାର୍ଯ୍ଯ ପାଇଁ ଅଣ୍ଟା ଭିଡିଛନ୍ତି ଚାଷୀ । ବର୍ଷକର ଧାନ ଫସଲ ଅମଳ ପାଇଁ ଆରମ୍ଭ କରିଦେଇଛନ୍ତି ଜୋରଦାର ପ୍ରସ୍ତୁତି । ପୁରୀ ଜିଲ୍ଲା ଉପକୂଳ କାକଟପୁର , ଅସ୍ତରଙ୍ଗ ଅଞ୍ଚଳରେ ଆରମ୍ଭ ହୋଇଯାଇଛି ଚାଷ କାର୍ଯ୍ଯ । କାକଟପୁର ଅସ୍ତରଙ୍ଗ ଅଞ୍ଚଳର ୭୦ ପ୍ରତିଶତ ଲୋକେ ଚାଷ ଉପରେ ନିର୍ଭର କରିଥାନ୍ତି । ଧାନ ଚାଷ ଏମାନଙ୍କ ମୁଖ୍ଯ ଫସଲ । ଅସ୍ତରଙ୍ଗ ବ୍ଲକରେ ୯ ହଜାର୮୧୫ ହେକ୍ଟର ଚାଷ ଜମି ଥିବାବେଳେ ୮ ହଜାର ୭୮୦ ହେକ୍ଟର ଜମିରେ ଧାନ ଚାଷ ହୋଇଛି । ଚଳିତ ଥର ମୌସୁମୀ ବିଳମ୍ବରେ ଆସିବା ହେତୁ ଚାଷ କାର୍ଯ୍ଯ ବିଳମ୍ବିତ ହୋଇଥିଲା । ହେଲେ ଏବେ ବର୍ଷା ପାଣି ପାଇଁ ଚାଷ କାର୍ଯ୍ଯ ଆରମ୍ଭ କରିଛନ୍ତି ଚାଷୀକୂଳ ।

ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳରେ ଲଗାତାର ୩ ଦିନ ବର୍ଷା ହେବା ପରେ ହେକ୍ଟର ହେକ୍ଟର ଜମିରେ ହଳ କରିବା ସହିତ ବିହନ ବୁଣା ବୁଣି ଆରମ୍ଭ କରିଦେଇଛନ୍ତି ଚାଷୀ । ମୁଣ୍ଡ ଝାଳ ତୁଣ୍ଡରେ ମାରି ଶୀଘ୍ର ଚାଷ କାମ ସାରିବାକୁ ଲାଗି ପଡିଛନ୍ତି । ଆଗକୁ ମୌସୁମୀ ବର୍ଷା ଭଲ ରହିଲେ ଚାଷ କାର୍ଯ୍ଯ ଭଲ ହେବ ବୋଲି ଆଶା ରଖିଛନ୍ତି ଚାଷୀକୂଳ । ସେପଟେ ଚଳିତ ବର୍ଷ ଚାଷ କାର୍ଯ୍ଯ ବିଳମ୍ବ ହୋଇଥିଲେ ମଧ୍ଯ ଶୀଘ୍ର ଚାଷ କାର୍ଯ୍ଯ ସାରିବାକୁ ଚାଷୀ ଭାଇ ମାନଙ୍କୁ ପରାମର୍ଶ ଦେଇଛନ୍ତି କୃଷି ଅଧିକାରୀ ।