ସୁପର ଓଭରରେ କୋଲକାତା ନାଇଟ ରାଇଡର୍ସ ବିଜୟୀ

ନୂଆଦିଲ୍ଲୀ: ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ଆଉ ଏକ ସୁପର ଓଭର ମ୍ୟାଚ୍ ଦେଖିବାକୁ ମିଳିଛି । କେକେଆର ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ୨୦ ଓଭରରେ ଅମୀମାଂସିତ ରହିଥିଲା । ଏହା ପରେ ଖେଳାଯାଇଥିଲା ସୁପରଓଭର ମ୍ୟାଚ୍ । ସୁପରଓଭର ମ୍ୟାଚରେ ବ୍ୟାଟିଂ କରିବାକୁ ଆସିଥିବା ହାଇଦ୍ରାବାଦ ଦଳ ୬ଟି ବଲ୍‌ରେ ମାତ୍ର ୩ ରନ୍ କରିପାରିଥିଲା । ଏହାର ଜବାବରେ କେକେଆର ଦୁଇଟି ବଲ ପୂର୍ବରୁ ଏହି ସହଜ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ତେବେ ରବିବାରର ଏହି ପ୍ରଥମ ମ୍ୟାଚରେ କୋଲକାତା ପାଇଁ ବିଜୟର କର୍ଣ୍ଣଧାର ସାଜିଥିଲେ ନ୍ୟୁଜିଲ୍ୟାଣ୍ଡ ଫାଷ୍ଟ ବୋଲର ଲକି ଫର୍ଗୁସନ୍। ଚଳିତ ଆଇପିଏଲର ନିଜ ପ୍ରଥମ ମ୍ୟାଚ ଖେଳୁଥିବା ଏହି ନ୍ୟୁଜିଲ୍ୟାଣ୍ଡ ଖେଳାଳିଙ୍କ ପ୍ରଭାବୀ ପ୍ରଦର୍ଶନ ଯୋଗୁ କୋଲକାତା ମ୍ୟାଚକୁ ନିଜ ନିୟନ୍ତ୍ରଣକୁ ଆଣିପାରିଥିଲା। ତେବେ ହାଇଦ୍ରାବାଦ ଅଧିନାୟକ ଡେଭିଡ ୱାର୍ଣ୍ଣର ୩୩ ବଲରେ ୪୭ ରନର ପ୍ରଭାବୀ ଇନିଂସ ଖେଳି ମ୍ୟାଚକୁ ସୁପର ଓଭରକୁ ଆଣିଥିଲେ।

କିନ୍ତୁ ଫର୍ଗୁସନଙ୍କ ଶାଣିତ ବୋଲିଂ ଆଗରେ ହାଇଦ୍ରାବାଦ୍ ଏକପ୍ରକାର ଅସହାୟ ହୋଇ ପଡ଼ିଥିଲା। ଫର୍ଗୁସନ ପ୍ରଥମେ ୪ ଓଭର ୧୫ ରନ୍ ଦେଇଥିବା ବେଳେ ୩  ୱିକେଟ୍ ନେଇଥିଲେ । ସୁପର ଓଭରରେ ଦୁଇଟି ୱିକେଟ୍ ନେଇ ସନରାଇଜର୍ସ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲେ ।

ମ୍ୟାଚରେ ପ୍ରଥମେ ଟସ୍ ଜିତି ସନରାଇଜର୍ସ ହାଇଦ୍ରାବାଦ୍ ପ୍ରଥମେ କୋଲକାତାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ରାହୁଲ ତ୍ରିପାଠୀ ତାଙ୍କ ଚିରାଚରିତ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିଥିବା ବେଳେ ତାଙ୍କ ସହ ପଡ଼ିଆକୁ ଓହ୍ଲାଇଥିବା ଶୁଭମାନ ଗିଲ ଧିମା ବ୍ୟାଟିଂ କରିଥିଲେ । ପ୍ରଥମ ୱିକେଟ୍ ପାଇଁ ୬ ଓଭରରେ ୪୮ ରନ୍ ଯୋଡ଼ିଥିଲେ। ଏହା ପରେ କ୍ରିଜକୁ ଆସିଥିବା ନିତିଶ ରାନା ଗିଲଙ୍କ ସହ ଦ୍ୱିତୀୟ ୱିକେଟରେ ୩୯ ରନ ଯୋଡ଼ିବା ପରେ ଗିଲ୍ ୩୭ ବଲରୁ ୩୬ ରନ୍ କରିଥିବାବେଳେ ରସିଦ ଖାନଙ୍କ ବଲରେ ଆଉଟ୍ ହୋଇ ପ୍ୟାଭିଲିଅନ ଫେରିଥିଲେ ।  ତେବେ ପଞ୍ଚମ ୱିକେଟରେ ଇଅନ ମୋର୍ଗାନ୍ ଓ ଦୀନେଶ କାର୍ତ୍ତିକ ଦ୍ରୁତ ୫୮ ରନ ସଂଗ୍ରହ କରି ଦଳୀୟ ସ୍କୋରକୁ ୧୬୩ ରନରେ ପହଞ୍ଚାଇଥିଲେ। ଏହାର ଜବାବରେ ହାଇଦ୍ରାବାଦ ୬ ଓ୍ୱିକେଟ ହରାଇ ୧୬୩ ରନ୍ କରିଥିଲା । ଏବଂ ସୁପରଓଭର ମ୍ୟାଚ୍ ଖେଳାଯାଇଥିଲା ।

Leave a Reply