ପଶ୍ଚିମବଙ୍ଗରେ ତାତିଲା ଏସଏଫଆଇ: ଶିକ୍ଷାମନ୍ତ୍ରୀଙ୍କ କାର ଉପରେ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ: ପଶ୍ଚିମବଙ୍ଗ ଶିକ୍ଷାମନ୍ତ୍ରୀ ବ୍ରତ୍ୟ ବସୁଙ୍କ କାର ଉପରେ ଆକ୍ରମଣ। ଯାଦବପୁର ବିଶ୍ବବିଦ୍ୟାଳୟରେ ପରିସରରେ ତାଙ୍କ କାର୍ ଉପରେ ଆକ୍ରମଣ କରିଛନ୍ତି ଏସଏଫଆଇର ଛାତ୍ର। ତୃଣମୂଳ କଂଗ୍ରେସର ଶିକ୍ଷକ ଶାଖା ପଶ୍ଚିମବଙ୍ଗ କଲେଜ ଓ ବିଶ୍ବବିଦ୍ୟାଳୟ ପ୍ରଫେସର ସଂଘର ବାର୍ଷିକ ଅଧିବେଶନରେ ଯୋଗ ଦେବାକୁ ସେ ଯାଇଥିବାବେଳେ ଏହି ଆକ୍ରମଣ ଘଟିଥିଲା। ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଏକ ପୋଲିସ ଗାଡି ଭଙ୍ଗାରୁଜା ହୋଇଥିବାବେଳେ ସିକ୍ଯୁରିଟି ଗାର୍ଡ ଓ ଜଣେ ଶିକ୍ଷାବନ୍ଧୁ ଅଫିସରଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। କ୍ୟାମ୍ପସ ଭିତରେ ଭଙ୍ଗାରୁଜା ବି ହୋଇଛି। ଛାତ୍ରସଂଘ ନିର୍ବାଚନ କରିବା ଦାବିରେ ସିପିଏମର ଛାତ୍ର ସଂଗଠନ ଏସଏଫଆଇ ପକ୍ଷରୁ ଏହି ଆକ୍ରମଣ ହୋଇଛି। ଆକ୍ରମଣ ପରେ ମନ୍ତ୍ରୀଙ୍କୁ ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏସଏଫଆଇର କିଛି ଛାତ୍ର ତାଙ୍କୁ ଦାବିପତ୍ର ଦେଉଥିବାବେଳେ କିଛି ଛାତ୍ର ଆକ୍ରମଣ କରିଥିଲେ ବୋଲି ସେ କହିଛନ୍ତି। ପଶ୍ଚିମବଙ୍ଗ କଲେଜ ଓ ବିଶ୍ବବିଦ୍ୟାଳୟ ପ୍ରଫେସର ସଂଘର ସଭାପତି ଅଛନ୍ତି ବସୁ। ଏହି ବୈଠକରେ ରାଜ୍ଯର ପ୍ରାୟ ୩ ହଜାର ପ୍ରଫେସର ଯୋଗ ଦେଇଥିଲେ। ଆକ୍ରମଣ ପରେ ଯାଦବପୁର ପୋଲିସ ଷ୍ଟେସନରେ ଏଫଆଇଆର ଦାୟର କରିଛି ପଶ୍ଚିମବଙ୍ଗ କଲେଜ ଓ ବିଶ୍ବବିଦ୍ୟାଳୟ ପ୍ରଫେସର ସଂଘ। ରାଜ୍ଯର ବିଶ୍ବବିଦ୍ୟାଳୟ ଓ କଲେଜଗୁଡିକରେ ନିର୍ବାଚନ କରାଯାଉ ନଥିବା ପ୍ରତିବାଦରେ ଏହି ଆକ୍ରମଣ ହୋଇଛି।