ଓଡ଼ିଶା ଇଡିର ଉପନିର୍ଦ୍ଦେଶକ ସୁବୋଧଙ୍କୁ ପଚରା ଉଚୁରା କରୁଛି କୋଲକାତା ପୋଲିସ

ଭୁବନେଶ୍ୱର: ଓଡିଶା EDର ଡେପୁଟି ଡାଇରେକ୍ଟର ସୁବୋଧ କୁମାରଙ୍କୁ ଜେରା ପାଇଁ ଭୁବନେଶ୍ୱରରେ କୋଲକାତା ପୋଲିସ । ଝାଡ଼ଖଣ୍ଡର ଓକିଲ ରାଜୀବ କୁମାରଙ୍କ ଗିରଫଦାରୀ ଲିଙ୍କ ନେଇ ସୁବୋଧଙ୍କୁ ପଚରା ଉଚୁରା କରୁଛି କୋଲକାତା ପୋଲିସ । ଜଣେ ACP ରାଙ୍କର ଅଫିସର ଓ ଆଉ ଜଣେ SI ଆଜି ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ପୂର୍ବରୁ ସୁବୋଧ କୁମାର ଝାଡ଼ଖଣ୍ଡର ରାଞ୍ଚିରେ EDର ଡେପୁଟି ଡାଇରେକ୍ଟର ଥିଲେ ।

ସେହି ସମୟରେ ଝାଡ଼ଖଣ୍ଡର ଓକିଲ ରାଜୀବ କୁମାରଙ୍କ ସହ ସମ୍ପର୍କ ଥିବା ନେଇ ସୁବୋଧଙ୍କୁ ପଚରାଉଚରା କରୁଛି କୋଲକାତା ପୋଲିସ । ରାଜୀବଙ୍କ ଠାରୁ କୋଲକାତାର ଜଣେ ବ୍ୟବସାୟୀ ମୋଟା ଅଙ୍କର ଟଙ୍କା ମାଗିଥିବା ଅଭିଯୋଗ ହୋଇଥିଲା । ରାଜୀବ ସେହି ବ୍ୟବସାୟୀଙ୍କ ନାଁରେ ରାଞ୍ଚି ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ ।

ଏହାକୁ ହଟାଇବା ପାଇଁ ୧୦ କୋଟି ଦାବି କରିଥିଲେ ବୋଲି ବ୍ୟବସାୟୀ ଜଣକ ଥାନାରେ ଅଭିଯୋଗ କରିଥିଲେ । ଗତ ସପ୍ତାହରେ କୋଲକାତା ପୋଲିସ ରାଜୀବଙ୍କୁ ଏକ ମଲରୁ ୬୦ଲକ୍ଷ ଟଙ୍କା ସହ ଗିରଫ କରିଥିଲା । ଗିରଫଦାରୀ ପରେ ସେହି ଟଙ୍କା ଉକ୍ତ ବ୍ୟବସାୟୀଙ୍କର ବୋଲି ଜଣା ପଡିଥିଲା । ରାଜୀବଙ୍କ ସହ ସୁବୋଧଙ୍କ ସମ୍ପର୍କ, କଲରେକର୍ଡ ଓ ଡାଏରିର ତଥ୍ୟକୁ ନେଇ ଆରମ୍ଭ ହୋଇଛି ଖୋଳତାଡ଼ ।