ମମତା ବାନାର୍ଜୀ ଙ୍କ ସରକାର ରାଜ୍ୟରେ ଲକ୍ ଡାଉନ୍ ସମୟରେ ମଦ ବିତରଣକୁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ପଶ୍ଚିମବଙ୍ଗ ସରକାରଙ୍କ ଏକ୍ସାଇଜ୍ ନିର୍ଦ୍ଦେଶାଳୟର ସୂତ୍ର ଅନୁଯାୟୀ, ମଦ ବିକ୍ରି ଉପରେ କୌଣସି ପ୍ରତିବନ୍ଧକ ନଥିଲା। ତେବେ ଅଧିକାଂଶ ମଦ ଦୋକାନ ଲକ୍ ଡାଉନ୍ କାରଣରୁ ବନ୍ଦ ଥିଲା ଏବଂ ଆଗକୁ ମଧ୍ୟ ବନ୍ଦ ରହିବ ବୋଲି ସୂଚନା ରହିଛି। ହୋମ ଡେଲିଭରୀ ପାଇଁ କେବଳ ବ୍ୟାକେଣ୍ଡ ଯୋଗାଣ ଆରମ୍ଭ ହୋଇପାରିବ ବୋଲି ସୂତ୍ରରୁ ପ୍ରକାଶ ପାଇଛି।

ଏକ୍ସାଇଜ୍ ବିଭାଗ ଅନୁଯାୟୀ କୋଲକାତା ପୋଲିସ ସ୍ଥାନୀୟ ପୋଲିସ ଷ୍ଟେସନ ମାଧ୍ୟମରେ ଖୁଚୁରା ବ୍ୟବସାୟୀଙ୍କୁ ଡେଲିଭରୀ ପାସ୍ ହସ୍ତାନ୍ତର କରିବ। ମଦ ଦୋକାନ ମାଲିକମାନଙ୍କୁ ପାସ୍ ପାଇବା ପାଇଁ ନିଜ ନିଜ ସ୍ଥାନୀୟ ପୋଲିସ ଷ୍ଟେସନ ନିକଟକୁ ଯିବାକୁ ପଡ଼ିବ | ଗୋଟିଏ ଦୋକାନ କେବଳ ତିନୋଟି ଡେଲିଭରୀ ପାସ୍ ପାଇପାରିବ ବୋଲି ସୂତ୍ରରୁ ପ୍ରକାଶ।

ସୂଚନା ଅନୁଯାୟୀ ଗ୍ରାହକମାନେ ସେମାନଙ୍କର ନିକଟତମ ମଦ ଦୋକାନରେ ଫୋନ୍ ମାଧ୍ୟମରେ ଅର୍ଡର ଦେଇପାରିବେ ଯାହା ପରେ ଖୁଚୁରା ବ୍ୟବସାୟୀମାନେ ଗ୍ରାହକଙ୍କୁ ଷ୍ଟକ୍ ବିତରଣ କରିପାରିବେ। ତେବେ ଏହି ଖବର ଭାଇରାଲ ହେବା ପରେ ବଙ୍ଗଳା ମୁଖ୍ୟ ସଚିବ ରାଜୀବ ସିହ୍ନା ଏକ୍ସାଇଜ୍ ବିଭାଗର ଦାବିକୁ ଖଣ୍ଡନ କରିଛନ୍ତି। ସିହ୍ନା କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଦ୍ୱାରା କୌଣସି ଆଦେଶ ଜାରି କରାଯାଇ ନାହିଁ।

