ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ମାମଲା: ସଞ୍ଜୟ ରୟ ଅଭିଯୁକ୍ତ ନୁହଁନ୍ତି ! ସିବିଆଇର ତଦନ୍ତ ଉପରେ ପ୍ରଶ୍ନ ଉଠାଇଲେ ମହିଳା ଡାକ୍ତରଙ୍କ ମାତାପିତା

ନନ୍ଦିଘୋଷ ବ୍ୟୁରୋ: କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ମାମଲାରେ ସାରା ଦେଶରେ ପ୍ରତିବାଦ ଦେଖିବାକୁ ମିଳିଛି । ଅଭିଯୁକ୍ତ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । କିନ୍ତୁ ମହିଳା ଡାକ୍ତରଙ୍କ ମାତାପିତା ସେମାନଙ୍କ ଝିଅ ସହିତ ଘଟିଥିବା ଘଟଣାରେ ପୋଲିସ ଏବଂ ସିବିଆଇର ତଦନ୍ତ ପଦ୍ଧତି ଉପରେ ପ୍ରଶ୍ନ ଉଠାଇଛନ୍ତି । ପୀଡିତାଙ୍କ ମା ଅଭିଯୋଗ ଆଣିଛନ୍ତି ଯେ, ଏହି ମାମଲାରେ ଗିରଫ ହୋଇଥିବା ସଞ୍ଜୟ ରୟ ଅଭିଯୁକ୍ତ ନହୋଇପାରନ୍ତି, ଏନେଇ ସେ ସିବିଆଇକୁ ଅବଗତ କରାଇଛନ୍ତି ।

ମହିଳା ଡାକ୍ତରଙ୍କ ମା’ କହିଛନ୍ତି ଯେ, ଝିଅ ସହିତ ଘଟିଥିବା ଘଟଣା ଦିନ ସକାଳ ୧୦:୫୩ରେ ହସ୍ପିଟାଲର ଅଧିକାରୀଙ୍କଠାରୁ ଏକ ଫୋନ୍ କଲ ପାଇଥିଲୁ, ଯେଉଁଥିରେ ଝିଅ ଆତ୍ମହତ୍ୟା କରିଥିବା  ସୂଚନା ଦିଆଯାଇଥିସା । ଆମେ ତୁରନ୍ତ ହସ୍ପିଟାଲରେ ପହଞ୍ଚିଥିଲୁ କିନ୍ତୁ ଝିଅକୁ ଦେଖିପାରିନଥିଲୁ । ଅପରାହ୍ନ ୩ ଟାରେ ଝିଅର ମୃତଦେହକୁ ଦେଖିବାକୁ ପାଇଥିଲୁ। ବହୁତ ଚାପରେ ମଧ୍ୟ ଥିଲୁ କିଛି ବୁଝିପାରୁନଥିଲୁ । ମହିଳା ଡାକ୍ତରଙ୍କ ମାତାପିତା ସେମାନଙ୍କ ଝିଅ ସହିତ ଘଟିଥିବା ଘଟଣାରେ ଡାକ୍ତର ଏବଂ ସେମାନଙ୍କ ସହ କାର୍ଯ୍ୟ କରୁଥିବା ନର୍ସଙ୍କ ସମ୍ପୃକ୍ତି ନେଇ ସନ୍ଦେହ ପ୍ରକଟ କରିଛନ୍ତି। ଏନେଇ ସେମାନେ ସିବିଆଇକୁ ସୂଚନା ଦେଇଥିଲେ। ସେହି ଅପରାଧରେ ସମ୍ପୃକ୍ତ ଥିବା ଲୋକଙ୍କ ନାମ ମଧ୍ୟ ସିବିଆଇକୁ ଦିଆଯାଇଛି । ସଞ୍ଜୟ ରୟ ଅଭିଯୁକ୍ତ ନହୋଇ ପାରନ୍ତି ବୋଲି ଡାକ୍ତରଙ୍କ ମାତାପିତା କହିଛନ୍ତି ।

ସିବିଆଇ ଅଧିକାରୀ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଏହି ମାମଲାରେ ପ୍ରାୟ ୩୦ଜଣ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଛୁ ଏବଂ ସେମାନଙ୍କୁ ପଚରାଉଚରା ଆରମ୍ଭ କରିଛୁ। ଏହା ବ୍ୟତୀତ ପ୍ରଥମେ ଏହି ଘଟଣାର ତଦନ୍ତ କରୁଥିବା କୋଲକାତା ପୋଲିସ ଅଧିକାରୀଙ୍କୁ ମଧ୍ୟ ପଚରାଉଚରା କରାଯାଉଛି। ସିବିଆଇ ଦୁଇଜଣ ପ୍ରଶିକ୍ଷକ ଡାକ୍ତର ଏବଂ ସେହି ରାତିରେ ମହିଳା ଡାକ୍ତରଙ୍କ ସହ ଡ୍ୟୁଟିରେ ଥିବା ଗୃହ କର୍ମଚାରୀଙ୍କୁ ଡକାଇଥିଲା।