ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ମମତା କହିଲେ, ଦୋଷୀଙ୍କୁ ଫାଶୀ ଦିଅ

କୋଲକାତା: କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯାର ଦୋଷୀଙ୍କୁ ଫାଶୀ ଦିଆଯିବା ଉଚିତ ବୋଲି କହିଛନ୍ତି ପଶ୍ଚିମବଙ୍ଗର ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ । ଏପରି କୁକର୍ମ କରୁଥିବା ଲୋକକୁ ଫାଶୀ ଦେଲେ ହିଁ ଉଚିତ ଶିକ୍ଷା ମିଳିବ ବୋଲି ସେ କହିଛନ୍ତି । ସିବିଆଇକୁ କୋଲକାତା ପୋଲିସ ପକ୍ଷରୁ ସବୁ ତଥ୍ଯ ଓ କାଗଜପତ୍ର ଦିଆଯାଇଛି । ପୀଡ଼ିତାଙ୍କ ସହିତ ସମସ୍ତେ ଅଛନ୍ତି ବୋଲି କହିଛନ୍ତି ମମତା ।

ସେପଟେ ଆଜି ସିବିଆଇର ଏକ ଟିମ୍ ପୀଡ଼ିତାଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଛି । ବାପାମାଆଙ୍କ ବୟାନ ରେକର୍ଡ କରାଯାଇଛି । ତଦନ୍ତ ଚାଲିଥିବା କହିଛନ୍ତି ସିବିଆଇ ଅଧିକାରୀ । ଏହା ସହିତ ୫ ଜଣ ଡାକ୍ତରଙ୍କୁ ମଧ୍ଯ ସମନ୍ କରିଛି ତଦନ୍ତକାରୀ ସଂସ୍ଥା । ସେମାନଙ୍କୁ ପଚରାଉଚରା କରାଯିବ । ସ୍ଥାନୀୟ ଥାନାର ଅଧିକାରୀଙ୍କୁ ମଧ୍ଯ ସିବିଆଇ ଡାକିଛି । ସେ ପ୍ରଥମେ ଘଟଣାକୁ ଆତ୍ମହତ୍ଯା ବୋଲି କହିଥିବାର ଅଭିଯୋଗ ହୋଇଥିଲା ।

ସେପଟେ ଗତକାଲି ଆର୍ ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ହୋଇଥିବା ହଙ୍ଗାମାର ତଦନ୍ତ ପାଇଁ ସେଠାରେ ପହଞ୍ଚିଛି ଫୋରେନସିକ୍ ଟିମ୍ । ଏହି ଘଟଣାରେ ଏପର୍ଯ୍ଯନ୍ତ ୯ ଜଣଙ୍କୁ ଗିରଫ କରାଯାଇଛି । ଗତରାତିରେ ଡାକ୍ତରମାନେ ଆନ୍ଦୋଳନ କରୁଥିବା ବେଳେ କିଛି ଲୋକ ହସ୍ପିଟାଲରେ ପ୍ରବେଶ କରି ଭଙ୍ଗାରୁଜା କରିଥିଲେ । ସେମାନଙ୍କ ଆକ୍ରମଣରୁ ବର୍ତ୍ତିବା ପାଇଁ ସିକ୍ଯୁରିଟି ଗାର୍ଡମାନଙ୍କୁ ବି ଲୁଚିବାକୁ ପଡ଼ିଥିଲା । ଆକ୍ରମଣରେ ୧୫ ଜଣ ପୋଲିସ ବି ଆହତ ହୋଇଥିଲେ