କୋଲକତାରେ ଭୁଶୁଡ଼ିଲା ନିର୍ମାଣାଧୀନ ୫ ମହଲା କୋଠା, ୨ ମୃତ

କୋଲକତା: କୋଲକତାର ଗାର୍ଡେନ ରିଚ୍‌ ଅଞ୍ଚଳରେ ରବିବାର ରାତିରେ ଏକ ଅତ୍ୟନ୍ତ ହୃଦୟ ବିଦାରକ ଘଟଣା ଘଟିଛି। ଏକ ନିର୍ମାଣାଧୀନ ୫ ମହଲା କୋଠା ହଠାତ୍ ଭୁଶୁଡି ପଡିଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ରୁ ୨୫ ଜଣ ଆହତ ହୋଇଛନ୍ତି । ଭଗ୍ନାଂଶ  ତଳେ ଆଉ ୬ ଜଣ ଲୋକ ଚାପି ହୋଇ ରହିଥିବା ସୂଚନା ମିଳିଛି।  ଆହାତମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ପୋଲିସର ସୂଚନା ଅନୁଯାୟୀ, ମୃତ ବ୍ୟକ୍ତି ହେଲେ ୪୭ ବର୍ଷୀୟ ସମା ବେଗମ୍ ଏବଂ ୫୫ ବର୍ଷୀୟ ହସିନା ଖାତୁନ୍ ବୋଲି ଜଣାପଡିଛି। ପୋଲିସ କହିଛି ଯେ, ୧୦ ଜଣ ଆହତଙ୍କୁ ସ୍ଥାନୀୟ ନର୍ସିଂହୋମରେ, ୫ ଜଣ ଏସଏସକେଏମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସୁଦ୍ଧା ୬ ଜଣ ଲୋକ ଭଗ୍ନାଂଶ ତଳେ ଫସି ରହିଛନ୍ତି।

ସୂଚନା ଅନୁଯାୟୀ, କୋଲକତା ମ୍ୟୁନିସିପାଲିଟି ଅଞ୍ଚଳରେ ଥିବା ଗାର୍ଡେନ ରିଚ୍‌ ଅଞ୍ଚଳରେ ଏକ ନିର୍ମାଣାଧୀନ ୫ ମହଲା ଘର ଗତ ରାତିରେ ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। ଉକ୍ତ ବିଲ୍ଡିଂ ଚାରିପାଖରେ ଛୋଟ ଛୋଟ ଝୁମ୍ପୁଡ଼ି ଥିବା ବେଳେ ବିଲ୍ଡିଂ ଏକ ଝୁମ୍ପୁଡ଼ି ଉପରେ ପଡ଼ି ଯାଇଥିଲା। ଖବର ପାଇ ତୁରନ୍ତ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ସ୍ଥାନୀୟ ଲୋକଙ୍କ ସହାୟତରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।