ପରିଚୟ ଖୋଜୁଛନ୍ତି କୋହ୍ଲସାହି ଗାଁ ଲୋକେ: ପେଟର ଭୋଟ ମେଣ୍ଟାଉଛି ଭାତ ସହ ଲୁଣ ଓ ଲଙ୍କା
ନନ୍ଦିଘୋଷ ବ୍ୟୁରୋ: ଆଜି ଆମେ ଏଭଳି ଏକ ଗାଁ ସମ୍ପର୍କରେ କହିବାକୁ ଯାଉଛି ଯାହାକୁ ଆଖିରେ ନ ଦେଖିଲେ କେହି ବିଶ୍ବାସ କରିବେନି । ଲୋକଙ୍କ ପାଖରେ ପହଞ୍ଚି ପାରନି ମୌଳିକ ସୁବିଧା ସୁଯୋଗ । ଯନ୍ତ୍ରଣାରେ କାଳ କାଟୁଛନ୍ତି ପିଲାଠୁ ବୟସ୍କ । ଡିଜିଟାଲ୍ ଇଣ୍ଡିଆର ନାରା ଦିଆଯାଉଥିବାବେଳେ ଏଠାରେ ମଣିଷ ନିଜ ପରିଚୟ ଖୋଜୁଛି । ଏଠିକାର ଲୋକଙ୍କ ପାଖରେ ନା ଅଛି ଆଧାର କାର୍ଡ, ନା ଅଛି ଭୋଟର ଆଇଡି । ଭାତ ଥାଳିରେ ଡାଲି, ତରକାରୀ ବଦଳରେ ସାହାରା ପାଲଟିଛି ଲୁଣ, ଲଙ୍କା ଓ ଜଙ୍ଗଲୀ କନ୍ଦା । ଆଉ ଏହି ଗାଁଟି ହେଲା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କରଞ୍ଜକଟା ପଞ୍ଚାୟତର କୋହ୍ଲସାହି ।
ସତେ ଯେମିତି ବିକାଶ ଏଠି ଆଖିଠାର ମାରୁଛି । ସ୍ବାଧୀନତାକୁ ୭୮ ବର୍ଷ ପୂରିଥିଲେ ବି ଏମାନେ ନିଜ ମାଟିରେ ଖୋଜୁଛନ୍ତି ପରିଚୟ । ଏଠାରେ ବସବାସ କରନ୍ତି ୧୦ଟି ଭୂମିହୀନ ଆଦିବାସୀ ପରିବାର । ନା ମୁଣ୍ଡ ଗୁଞ୍ଜିବାକୁ ଅଛି ପକ୍କା ଘର, ନା ଅଛି ବିଦ୍ୟୁତ୍ ସଂଯୋଗ । ଝାଟିମାଟି ଛୋଟ କୁଡ଼ିଆ ସାହା ଭରସା । ଏମାନଙ୍କ ପାଖରେ ନାହିଁ ଆଧାର କାର୍ଡ କି ରାସନ କାର୍ଡ । କୌଣସି ନେତା ଓ ମନ୍ତ୍ରୀଙ୍କ ପାଦ ଏହି ମାଟିରେ ପଡ଼ି ନାହିଁ । ଆଜିଯାଏଁ ନିର୍ବାଚନର ସ୍ୱାଦ ଚାଖିନାହାନ୍ତି ଏଠାକାର ଲୋକେ ।
ଭାତ ଥାଳିରେ ବାସୀ ଭାତ ସହ ଟିକେ ଲଙ୍କା ଗୁଣ୍ଡ । ଏ ଦୃଶ୍ୟ ଦେଖିଲେ ଆଖିରୁ ଲୁହ ଆସିଯିବ । ଏଠାକାର ଲୋକଙ୍କ ପାଇଁ ଏହା ନିତିଦିନିଆ ବାସ୍ତବତା । ହାତରେ ମୁଠାଏ ବାସୀ ଭାତ ଆଉ ଲୁଣ, ଲଙ୍କା । ଏହାକୁ ଖାଇ ଜୀବନ ବଞ୍ଚୁଛନ୍ତି ଏହି ଅଭାବୀ ମଣିଷ । ତିଅଣ ଏଠି ସାତସପନ । କେବେ ଭାଗ୍ୟରେ ଭଲ ଥିଲେ ଜଙ୍ଗଲରୁ ମିଳେ ‘କନ୍ଦା’ । ସରକାରଙ୍କ ପୁଷ୍ଟିକର ଖାଦ୍ୟ ଯୋଜନା ଏଠି କାଗଜ କଲମରେ ସୀମିତ ।

