ପୂର୍ବତନ ବିଜେଡି ସରକାରର ଦୂରଦୃଷ୍ଟିକୁ ଆଗେଇ ନେବେ ସରକାର

1 min read

ଭୁବନେଶ୍ବର : କୋରାପୁଟ କୋଲାବରେ ଚାଲିବ ଆରାମଦାୟକ କ୍ରୁଜ। ମାଲକାନାଗିରିର ସତୀଗୁଡ଼ାରେ ହେବ କାରାଭାନ ଟୁରିଜମ୍ । ଡ୍ୟାମ, ଝରଣା, ପାହାଡ଼ ସହ ସ୍ପିରିଚ୍ୟୁଆଲ ଟୁରିଜମ୍ ଉପରେ ବି ସରକାରଙ୍କ ନଜର। କୃଷି, ଶିଳ୍ପ ଭଳି ରାଜ୍ୟର ଅର୍ଥନୀତିରେ ପର୍ଯ୍ୟଟନର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏହାକୁ ନଜରରେ ରଖି ବିଜେଡ଼ି ସରକାର ଏହାର ଅଭିବୃଦ୍ଧି ପାଇଁ ଅନେକ ପଦକ୍ଷେପ ନେଇଥିଲେ। ଧାର୍ମିକ ସ୍ଥଳର ସାମଗ୍ରିକ ବିକାଶ ସହ ପର୍ଯ୍ୟଟକଙ୍କୁ ଆତିଥ୍ୟ ଦେବାରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରିଥିଲେ। ଚିଲିକାରେ ଆରମ୍ଭ ହୋଇଥିଲା କ୍ରୁଜ ସେବା। ଏହାକୁ ଆଗକୁ ନେବାକୁ ଯୋଜନା କରିଛି ବିଜେପି ସରକାର। ପର୍ଯ୍ୟଟନ ଭିତ୍ତିଭୂମି ପାଇଁ ୩୦୦ କୋଟି ଟଙ୍କା ଦିଆଯାଇଛି, ଯାହାର ଝଲକ ଦେଖିବାକୁ ୩-୪ ମାସ ସମୟ ଲାଗିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହ ସ୍ପିରିଚ୍ୟୁଆଲ ଟୁରିଜମ୍ ସହ ଆଡ଼ଭେଞ୍ଚର ଟୁରିଜମର ଫାଇଦା କିପରି ପର୍ଯ୍ୟଟକ ନେଇପାରିବେ ତା ଉପରେ ବି ନଜର ଦିଆଯାଉଛି। ସରକାରୀ ପାନ୍ଥନିବାସକୁ ପିପିପି ମୋଡ଼ରେ ବିକାଶ କରିବା ପାଇଁ ପୂର୍ବ ସରକାରର ନିଷ୍ପତ୍ତିକୁ ବିଜେପି ସରକାର ଆଗକୁ ନେବେ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।
ପର୍ଯ୍ୟଟନ ଶିଳ୍ପ ଏବେ ସମସ୍ତଙ୍କ ନଜରରେ। ୮ ହଜାର ୧୫୩ କୋଟିର ବଜେଟ ଏହି ବିଭାଗରେ ଥିବା ବେଳେ ଖର୍ଚ୍ଚର ମନିଟରିଂ ପାଇଁ ସ୍ବତନ୍ତ୍ର ସେଲ୍ ଖୋଲାଯାଇଛି। ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜିନିବେଶକୁ ବାସ୍ତବ ରୂପ ଦେବା ପାଇଁ ଉଦ୍ୟମ ହେଉଛି। ଝାରୁସୁଗୁଡ଼ାରୁ ଜଗତସିଂହପୁର ଯାଏଁ ଲମ୍ବିଥବା ମହାନଦୀ ଏବଂ ଏହାର କୂଳେ କୂଳେ ଥିବା ବିଭିନ୍ନ ଝରଣା, ଅଭୟାରଣ୍ୟ, ପାହାଡ଼କୁ ନେଇ ସ୍ବତନ୍ତ୍ର ପର୍ଯ୍ୟଟନ ପ୍ୟାକେଜ୍ ପ୍ରସ୍ତୁତ କରାଯାଉଛି। କୋଲାବ ଡ଼୍ୟାମ, ମାଲକାନାଗିରିର ସତୀଗୁଡ଼ା ଡ଼୍ୟାମରେ ବଡ଼ ବଡ଼ କ୍ରୁଜ ସେବା ସହିତ କୋରାପୁଟ କଫି ଆଧାରିତ ପର୍ଯ୍ୟଟନ ପାଇଁ ଯୋଜନା ହେଉଛି। ସରକାରଙ୍କ ଯୋଜନାକୁ ଟୁର ଅପରେଟରମାନେ ସ୍ବାଗତ କରିଛନ୍ତି। ହେଲେ ଏହା କିପରି ଠିକ୍ ଢଙ୍ଗରେ ଠିକ୍ ସମୟରେ କାମରେ ଲାଗିବ, ତାହା ଉପରେ ଗୁରୁତ୍ବ ଦେବାକୁ କହିଛନ୍ତି। ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ନବୀନ ସରକାରଙ୍କ ଦୂରଦୃଷ୍ଟିକୁ ଆଗେଇ ନେଉଛି ବିଜେପି ସରକାର। କୃଷି, ଶିଳ୍ପ ସହ ରାଜ୍ୟର ଅର୍ଥନୀତି ଅଭିବୃଦ୍ଧି ପାଇଁ ପର୍ଯ୍ୟଟନ ଜରୁରୀ ଥିବାରୁ ଏହା ଉପରେ ଆନ୍ତରିକତାର ସହ କାମ କରିବାକୁ ପଡ଼ିବ।