ସ୍ମାର୍ଟ ସ୍କୁଲରେ ନିଜ ଭବିଷ୍ୟତ ଗଢ଼ିବେ ବଣ ପାହାଡ଼ ଘେରା ଉପାନ୍ତ ଇଲାକାର ପିଲା

1 min read

ଧର୍ମଗଡ଼: ଉପାନ୍ତ ଇଲାକାର ବିଲା ବି ଏଣିକି ପଛରେ ରହିବେନି । ସେମାନେ ବି ପଢ଼ିବେ, ଆଗକୁ ବଢ଼ିବେ । ରାଜ୍ୟର ଅନ୍ୟ ପିଲାମାନଙ୍କ ସହ ତାଳ ଦେଇ ନିଜ ଭବିଷ୍ୟତ ଗଠନ କରିପାରିବେ । କାରଣ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍ମାର୍ଟ ହେବ ସ୍କୁଲ୍ । ଏହି କ୍ରମରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଗୋତାମୁଣ୍ଡା ସ୍କୁଲକୁ ରୂପାନ୍ତରିତ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ଆଗୁଆ ହେବେ ପଛୁଆ ଅଞ୍ଚଳର ଛାତ୍ରଛାତ୍ରୀ । ରୂପାନ୍ତରିତ ବିଦ୍ୟାଳୟରେ ଗଢା ହେବେ ଦେଶର ଭବିଷ୍ୟତ । ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ପାଦ ଦେଶରେ ସ୍ମାର୍ଟ ହେବେ ପିଲା । ସ୍ଥାନୀୟ ଗୋତାମୁଣ୍ଡା ସ୍କୁଲର ରାପାନ୍ତର ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ପ୍ରକ୍ରିୟା ଆରମ୍ଭ ପୂର୍ବରୁ ସ୍କୁଲ ପରିଦର୍ଶନ କରି ଭିତ୍ତିଭୂମି ଅନୁଧ୍ୟାନ କରିଛନ୍ତି ବିଧାୟକ । ଖୁବଶୀଘ୍ର ଗୋତାମୁଣ୍ଡା ସ୍କୁଲ ସ୍ମାର୍ଟ କାହାଣୀରେ ସାମିଲ ହେବ ବୋଲି ଆଶା ରଖିଛନ୍ତି ଅଞ୍ଚଳବାସୀ ।

୧୯୫୨ ମସିହାରେ ବିଦ୍ୟାଳୟ ସ୍ଥାପିତ ହୋଇଥିଲା । ଆଖପାଖ ପ୍ରାୟ ୧୦ଟି ଗାଁର ଛାତ୍ରଛାତ୍ରୀ ଏଇଠି ପାଠ ପଢି ଭବିଷ୍ୟତ ଗଢିଥାନ୍ତି । ଆଗାମୀ ଦିନରେ ସ୍କୁଲର ରୂପାନ୍ତର ହେଲେ ପ୍ରାୟ ୪୦୦ ପିଲା ଏହାଦ୍ବାରା ଉପକୃତ ହେବେ । ସ୍ମାର୍ଟ କ୍ଲାସ ରୁମ ସାଙ୍ଗକୁ ଇ-ଲାଇବ୍ରେରୀ, ଲାବ୍ରୋଟାରି ଓ ଉନ୍ନତ ଭିତ୍ତିଭୂମି ପାଇ ଆଗକୁ ବଢିବେ ଉପାନ୍ତଅଞ୍ଚଳର ଛାତ୍ରଛାତ୍ରୀ ।

ଶିକ୍ଷାକ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ସାମିଲ କରିବାକୁ ସରକାର ଚଲାଇଛନ୍ତି ପ୍ରଚେଷ୍ଟା । ରାଜ୍ୟ ସରକାରଙ୍କର ଏପରି ନିଷ୍ପତ୍ତି ପରେ ପିଲାଙ୍କ ସହିତ ଅଭିଭାବକମାନେ ମଧ୍ୟ ବହୁତ ଖୁସି । ଏଥିପାଇଁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Leave a Reply