କୋହଲିଙ୍କ ହୋଟେଲ ରୁମ୍ ଭିଡିଓ ଭାଇରାଲ ଘଟଣା: କ୍ଷମା ମାଗିଲା କ୍ରାଉନ ହୋଟେଲ୍

ପର୍ଥ: ବିରାଟ କୋହଲିଙ୍କ ହୋଟେଲ ରୁମ୍ ଭିଡିଓ ଭାଇରାଲ କରିବା ଘଟଣାରେ କ୍ଷମା ପ୍ରାର୍ଥନା କରିଛି ହୋଟେଲ କ୍ରାଉନ୍ । ହୋଟେଲ କର୍ତ୍ତୃପକ୍ଷ କହିଛନ୍ତି, ‘ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କାର୍ଯ୍ୟରୁ ହଟାଇ ଦିଆଯାଇଛି । ଆଗକୁ ଏମିତି ଘଟଣା ଯେମିତି ନ ଘଟେ ସେଥିପ୍ରତି ସଜାଗ ରହିବୁ ।’

କ୍ରାଉନ୍ କମ୍ପାନୀର ପ୍ରବକ୍ତା କହିଛନ୍ତି, ‘ଏହି ଘଟଣାରେ ଆମେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରୁଛୁ । ଏହା ନିଶ୍ଚିତ କରୁଛି କି ଘଟଣାକୁ ନେଇ ଉଚିତ ପଦକ୍ଷେପ ନିଆଯାଉଛି । ଆମ ଟିମ୍ ସଦସ୍ୟ ଓ କଣ୍ଟାଟରଙ୍କ ପାଇଁ କାମର ଯେଉଁ ଷ୍ଟାଣ୍ଡର୍ଡ କୋଡ ବନାଇଛୁ, ଏହା ତାହାକୁ ପାଳନ କରୁନାହିଁ । ଏହି ଘଟଣାକୁ ନେଇ ଆମେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛୁ । ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କ୍ରାଉନ୍ କମ୍ପାନୀରୁ ହଟାଇ ଦିଆଯାଇଛି । ଏମିତି ଘଟଣା ଆଗକୁ ଯେମିତି ନହେବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେଉଛୁ ।’

ସୂଚନାଯୋଗ୍ୟ, ପର୍ଥରେ କୋହଲି ରହୁଥିବା ହୋଟେଲ କ୍ରାଉନର ତାଙ୍କ ରୁମ ଭିଡିଓ କେହି ଜଣେ ସୋସିଆଲ ମିଡ଼ିଆରେ ସେୟାର କରିଦେଇଥିଲା । ଯାହାକୁ ନେଇ କୋହଲି ଅସନ୍ତୋଷ ପ୍ରକାଶ କରିବା ସହ ଏହା ତାଙ୍କୁ ବ୍ୟକ୍ତିଗତ ଜୀବନ ଉପରେ ହସ୍ତକ୍ଷେପ ବୋଲି କୋହଲି ଅଭିଯୋଗ କରିଥିଲେ । କୋହଲି ନିଜେ ଏହାର ଭିଡିଓ ସେୟାର କରି ଏମିତି ହେବାର ନଥିଲା ବୋଲି ଉଲ୍ଲେଖ କରିଥିଲେ ।

ସେ ଉଲ୍ଲେଖ କରିଥିଲେ, ‘ମୁଁ ଜାଣିଛି, ଫ୍ୟାନମାନେ ନିଜ ପସନ୍ଦର ଖେଳାଳିଙ୍କୁ ଦେଖିବା ପରେ ଉତ୍ସାହିତ ହୋଇଯାଇଥାନ୍ତି । ତାଙ୍କୁ ଭେଟିବାକୁ ସବୁ ବେଳେ ଚାହିଁଥାନ୍ତି । ମୁଁ ସବୁବେଳେ ସେମାନଙ୍କୁ ଉତ୍ସାହିତ କରିଛି । ହେଲେ ଏ ଭିଡିଓ ଡରାଇ ଦେବା ଭଳି । ସେ ମୋ ବ୍ୟକ୍ତିଗତ ଜୀବନକୁ ନେଇ ଚିନ୍ତାରେ ପକାଇ ଦେଇଛି । ଯଦି ମୁଁ ହୋଟେଲ ରୁମରେ ନିଜ ବ୍ୟକ୍ତିଗତ ଜୀବନକୁ ସୁରକ୍ଷିତ ରଖି ପାରୁନି, ଅନ୍ୟ ସ୍ଥାନରେ ନିଜକୁ ସୁରକ୍ଷିତ କେମିତି ମଣିବି । ଦୟାକରି ଅନ୍ୟର ପ୍ରାଇଭେସିକୁ ସମ୍ମାନ ଦିଅନ୍ତୁ ଓ ଏହାକୁ ନିଜର ମନୋରଞ୍ଜନ ବୋଲି ଭାବନ୍ତୁ ନାହିଁ ।’